ସନଷ୍ଟାର ଟିଭି ବ୍ୟୁରୋ
ସୁକମା: ପୁଣି ଦେଖିବାକୁ ମିଳିଛି ମାଓବାଦୀଙ୍କ ବର୍ବର କାଣ୍ଡ । ଘରୁ ଡାକି ନେଇ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ ।ଘଟଣାଟି ଘଟିଛି ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ । ବିଳମ୍ୱିତ ରାତିରେ ଘରୁ ଡାକି ନେଇ ଯବାନଙ୍କୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତ ଯବାନ ଜଣକ ହେଲେ ବେଟ୍ଟୀ ଭୀମା ।
ଦୋର୍ନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡିଆରଜି ଯବାନ ବେଟ୍ଟୀ ଭୀମା ମଙ୍ଗଳବାର ତାଙ୍କ ଘରକୁ ଯାଇଥିଲେ । ରାତିରେ ନିଜ ଘରେ ଶୋଇଥିବା ବେଳେ ୧୦ରୁ ୧୫ ଜଣ ମାଓବାଦୀ ସେଠାରେ ପହଞ୍ଚିଥିଲେ । ମାଓବାଦୀମାନେ ବନ୍ଧୁକ ଦେଖାଇ ତାଙ୍କୁ ଘରୁ ଉଠାଇ ନେଇଥିଲେ । ପରେ ଗାଁ ମୁଣ୍ଡ ରାସ୍ତାରେ ଗଳା କାଟି ହତ୍ୟା କରି ଚାଲି ଯାଇଥିଲେ । ଏହି ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଭୟ ବାତାବରଣ ସୃଷ୍ଟି ହେବା ସହ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।