ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ବର୍ତ୍ତମାନ 18 ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଉଛି । ତେବେ ଏହା ପରେ ଆରମ୍ଭ ହେବାକୁ ଯାଉଛି 2 ରୁ 18 ବର୍ଷର ବର୍ଗଙ୍କ ଟିକାକରଣ । କାରଣ ଶିଶୁ ଓ ନାବାଳକଙ୍କ ଉପରେ ଟିକାର କ୍ଲାନିକାଲ ଟ୍ରାଏଲ ହେବାକୁ ଯାଉଛି । ଭାରତ ବାୟୋଟେକ କୋଭାକ୍ସିନ ଟିକାର କ୍ଲିନିକାଲ ଟ୍ରାଏଲ କରିବାକୁ ସବଜେକ୍ଟ ଏକ୍ସପର୍ଟ ପ୍ୟାନେଲ୍ ସୁପାରିଶ କରିଛି ।
ଦ୍ବିତୀୟ ଓ ତୃତୀୟ ଫେଜ୍ କ୍ଲାନିକାଲ ଟ୍ରାଏଲକୁ ଅନୁମତି ମିଳିଛି। ଏହି ଟ୍ରାଏଲ ଦିଲ୍ଲୀ ଓ ପାଟନାର ଏମ୍ସ ଓ ନାଗପୁର ସ୍ଥିତ ମେଡିଟ୍ରିନା ମେଡିକାଲ ସାଇନ୍ସ ଇନଷ୍ଟିଚ୍ୟୁଟରେ ହେବ । ଟ୍ରାଏଲ ସଫଳ ହେଲେ ୨ରୁ ୧୮ ବର୍ଷର ବର୍ଗଙ୍କୁ ମିଳିବ ଟିକା ।
ଆଇସିଏମଆର ଏବଂ ଭାରତ ବୟୋଟେକ୍ ମିଳିତ ଭାବେ ପ୍ରସ୍ତୁତ କରିଥିବା କୋଭାକ୍ସିନ୍ ଟିକାକୁ ନେଇ ଏହି ପରୀକ୍ଷଣ କରାଯିବ । ପରୀକ୍ଷଣ ସମୟରେ ସୁରକ୍ଷା ଏବଂ ପ୍ରଭାବକୁ ଗୁରୁତ୍ବ ଦିଆଯିବ । ପୂର୍ବରୁ ଫେବ୍ରୁଆରୀ ମାସରେ ପିଲାଙ୍କ ଉପରେ ଏହି ଟ୍ରାଏଲ୍ ନେଇ ପ୍ରସ୍ତାବ ରହିଥିଲା । ଫେବ୍ରୁଆରୀ ୨୪ରେ ବିସ୍ତୃତ କ୍ଲିନିକାଲ ଟ୍ରାଏଲ ପ୍ରୋଟକଲ ଉପସ୍ଥାପନ ପାଇଁ କୁହାଯାଇଥିଲା ।
ତେବେ ଆମେରିକାରେ ମଧ୍ୟ ୧୨ରୁ ୧୫ ବର୍ଷର ପିଲାଙ୍କ ଉପରେ ଫାଇଜର ଟିକା ଟ୍ରାଏଲ କରାଯିବା ନେଇ ଆମେରିକା ସରକାର ଅନୁମତି ପ୍ରଦାନ କରିଛନ୍ତି ।