ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ମହାମାରୀ ନିଜର ମାରାତ୍ମକ ରୂପ ଦେଖାଇଚାଲିଛି । ତେବେ ଏହାରି ମଧ୍ୟରେ ଏକ ଆଶ୍ୱସ୍ତୀକର ତଥ୍ୟ ସାମ୍ନାକୁ ଆସିଛି । ଥରେ କରୋନାରେ ସଂକ୍ରମିତ ହେଲେ, ରୋଗୀଙ୍କ ଶରୀରରେ ତିଆରି ହେଉଥିବା ଆଂଟିବଡି ବା ପ୍ରତିରୋଧ ଶକ୍ତି କରୋନା ବିରୋଧରେ ବୃଦ୍ଧି ପାଉଛି । ଦେଶର ସର୍ବୋଚ୍ଚ ଭେଷଜ ଗବେଷଣା ସଂସ୍ଥା ଆଇସିଏମଆର ଦ୍ୱାରା ପରିଚାଳିତ ଭୁବନେଶ୍ୱର ଆରଏମଆରସି ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରେ ଏହି ତଥ୍ୟ ସାମ୍ନାକୁ ଆସିଛି । କିଛି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ନେଇ ଆରଏମଆରସି ପକ୍ଷରୁ ହୋଇଥିବା ଅଧ୍ୟୟନରେ ଏହି ଦାବି କରାଯାଇଛି ।
ତେବେ ସେହି ଗବେଷଣା ଅନୁସାରେ, କରୋନା ଆକ୍ରାନ୍ତଙ୍କ ଦେହରେ ଦୁଇ ପ୍ରକାର ଆଣ୍ଟିବଡି ବା ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ଭୂତାଣୁର ନ୍ୟୁକ୍ଲୋକାପସିଡ୍ ପ୍ରୋଟିନ ବିରୋଧରେ ଓ ଭୂତାଣୁର ଷ୍ଟ୍ରକ୍ଚରାଲ ସ୍ପାଇକ ପ୍ରୋଟିନ ବିରୋଧରେ ଏହି ଆଣ୍ଟିବଡି ସୃଷ୍ଟି ହୋଇଥାଏ ।ତେବେ ସ୍ପାଇକ ପ୍ରୋଟିନ ବିରୋଧରେ ଆଣ୍ଟିବଡି ହ୍ରାସ ପାଉନଥିବାର ଦେଖାଯାଇଛି । ଓ ପୁନଃ ସଂକ୍ରମିତ ହେବାରେ ମଣିଷ ଶରୀରର କୋଷିକାକୁ ସୁରକ୍ଷା ଯୋଗାଇ ହେଉଛି ।
ତେବେ କରୋନାରୁ ସୁସ୍ଥ ହେବାର ୨୮ ଦିନ ପରେ ୧୮ରୁ ୬୩ ବର୍ଷର ୭୬ ଜଣ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ନେଇ ଏହି ଅଧ୍ୟୟନ ହୋଇଥିଲା । ସେପ୍ଟେମ୍ବର ୨୦୨୦ରୁ ଫେବୃଆରୀ ୨୦୨୧ ଭିତରେ ଏମାନଙ୍କର ଆଣ୍ଟିବଡି ପ୍ରାୟ ୧୦ ଗୁଣା ବୃଦ୍ଧି ପାଇଥିବା ଦେଖା ଯାଇଛି ।