ସନଷ୍ଟାର ଟିଭି ବ୍ୟୁରୋ
କଟକ: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି । ତେବେ ଏହି ଟିକାକରଣ ଅଭିଯାନକୁ ଆହୁରୀ ବ୍ୟାପକ କରିବା ପାଇଁ ଜବହାରଲାଲ ନେହରୁ ଇଣ୍ଡୋର୍ ଷ୍ଟାଡିୟମ୍ରେ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ମେଗା ଶିବିର ଆଜିଠୁ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ଶିବିର ପରିଚାଳନା ଅଧିକାରୀ ସିଏମ୍ସି ଯୁଗ୍ମ କମିସନର ସୁମିତା ସରକାର । ଏହି ଶିବିରରେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ରହିଥିବା 45 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଯେତେ ଶୀଘ୍ର ସମ୍ଭବ 45 ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯିବା ଅଭିଯାନ ଶେଷ କରାଯିବ ।
ଏହି ମେଗା ଶିବିରରେ ପ୍ରଥମ ଦିନରେ ପ୍ରାୟ ୬୦୦ ଲୋକଙ୍କୁ ଟୋକନ୍ ପ୍ରଦାନ କରାଯିବ । ପ୍ରଥମ ଡୋଜ୍ ନେଇଥିବା ଲୋକମାନେ ୪୨ଦିନ ହୋଇଯାଇଥିଲେ ସେଠାକୁ ନିଜର ପରିଚୟପତ୍ର ସହ ପୂର୍ବରୁ ପ୍ରଥମ ଡୋଜ୍ ନେବା ସମୟରେ ପଞ୍ଜିକରଣ କରିଥିବା ଫୋନ୍ ନମ୍ବର ସେଠାରେ ପ୍ରଦାନ କରିବେ । ଏହାପରେ ସେମାନଙ୍କୁ ଟୋକନ୍ ଦିଆଯାଇ ପଞ୍ଜିକରଣ ପାଇଁ ପଠାଯିବ । ସେଠାରେ ପଞ୍ଜିକରଣ ପରେ ଟିକା ପାଇଁ ୮ଟି କାଉଣ୍ଟର୍ ରହିଛି । ଏଥିରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର୍ ରହିଛି । ଟିକା ନେବା ପରେ ୱେଟିଂ ହଲ୍ରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟବେକ୍ଷଣରେ ରହିବେ ବୋଲି ଶ୍ରୀମତୀ ସରକାର କହିଛନ୍ତି ।