ସନଷ୍ଟାର ଟିଭି ବ୍ୟୁରୋ
କଟକ: ରାଜ୍ୟର ସବୁଠୁ ବୃହତ୍ ହସ୍ପିଟାଲ ଏସସିବିରେ ବଢିବାକୁ ଯାଉଛି ବେଡ୍ ସଂଖ୍ୟା ।ଏନେଇ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ସେ କହିଛନ୍ତି ଯେ ଆଗାମୀ ଦିନରେ ଏସସିବିରେ ଆଉ 100 ବେଡ୍ ବଢିବ । ଏଥିରେ 41 ଟି ଆଇସିୟୁ ଓ 40 ଟି ଏଚଡିୟୁ ରହିବ । ଏସ୍ସିବିରେ ବେଡ ଉପଲବ୍ଧତା ବଢ଼ିଲେ ଅନ୍ୟ ଜିଲ୍ଲାର ରୋଗୀ ମଧ୍ୟ ଉପକୃତ ହେବେ ବୋଲି ସେ ସୂଚନା ଦେଇଛନ୍ତି ।
ଶ୍ରୀମତୀ ଦାସ କହିଛନ୍ତି ଯେ, ସଂକ୍ରମିତ ମାନେ ଘରେ ରହି ଚିକିତ୍ସିତ ହୁଅନ୍ତୁ । ଜରୁରୀ ପଡ଼ିଲେ ଆମ ନମ୍ବର (କୋଭିଡ କଣ୍ଟ୍ରୋଲ ରୁମ ନଂ ୭୦୭୭୭୭୫୫୫୫୫) ସହ ଯୋଗାଯୋଗ କରନ୍ତୁ । ଟୋଲ ଫ୍ରି ନମ୍ବର ୧୮୦୦୩୪୫୮୨୮୯କୁ ଜଣାନ୍ତୁ । ଲକ୍ଷଣ ଥାଇ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ସୂଚନା ଦିଅନ୍ତୁ । କୋଭିଡ ହସ୍ପିଟାଲରେ ସସପେକ୍ସ ହିସାବରେ ଭର୍ତ୍ତି କରାଯିବ । କମ ଲକ୍ଷଣ ଥିବା ବ୍ୟକ୍ତି ଗୃହ ସଂଗରୋଧରେ ଭଲ ହେଉଛନ୍ତି । ରାପିଡ ରେସପନ୍ସ ଟିମ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖୁଛି । ହୋମ ଆଇସୋଲେସନର ସୁବିଧା ନଥିଲେ କୋଭିଡ କେୟାରକୁ ଅଣାଯାଉଛି ।
କୋଭିଡ କେୟାର ସେଣ୍ଟରରେ ପର୍ଯ୍ୟାପ୍ତ ପରିମାଣରେ ବେଡ ଉପଲବ୍ଧ ଅଛି । ବର୍ତ୍ତମାନ କୋଭିଡ କେୟାର ସେଣ୍ଟରରେ ବେଡ ଆକ୍ୟୁପେନ୍ସି ୪୦ରୁ ୫୦ ପ୍ରତିଶତ । କୋଭିଡ କେୟାର ସେଣ୍ଟରରେ ଅକ୍ସିଜେନ ଉପଲବ୍ଧ ଅଛି । ଦରକାର ପଡ଼ିଲେ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଉଛି । ଆଇସିୟୁ ବେଡ ଉପରେ ଚାପ ରହୁଛି । ଏହାକୁ ଦୂର କରିବା ପାଇଁ ଏସ୍ସିବିର କ୍ଷମତାକୁ ବଢ଼ାଇବାକୁ ପ୍ରୟାସ କରାଯାଉଛି । କୋଭିଡ କଣ୍ଟ୍ରୋଲ ରୁମରେ ଉତ୍ସର୍ଗୀକୃତ ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀ ଅଛନ୍ତି ବୋଲି ଶ୍ରୀମତୀ ଦାସ କହିଛନ୍ତି ।