ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ପକ୍ଷରୁ ଏକାଡେମିକ୍ କ୍ୟାଲେଣ୍ଡର୍ ଜାରି କରାଯାଇଛି । ଏହି ନୂତନ କ୍ୟାଲେଣ୍ଡର୍ ଅନୁସାରେ ଅଗଷ୍ଟ ୩୧ ସୁଦ୍ଧା ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବ । ତେବେ ପୂର୍ବରୁ ନାମ ଲେଖିଥିବା ଛାତ୍ରଛାତ୍ରୀଙ୍କର ପାଠପଢ଼ା ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବ । ସେପ୍ଟେମ୍ବର ୯ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସରିବ । ସେପ୍ଟେମ୍ବର ୧୦ ତାରିଖରେ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖିଥିବା ଛାତ୍ରଛାତ୍ରୀ ଚାହିଁଲେ ନାମଲେଖା ପ୍ରତ୍ୟାହାର କରିବା ସହିତ ପୁରା ଟଙ୍କା ଫେରି ପାଇପାରିବେ । ସେପ୍ଟେମ୍ବର ୧୫ ସୁଦ୍ଧା ଖାଲି ପଡିଥିବା ସିଟ୍ରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ନାମ ଲେଖିପାରିବେ । ସେପ୍ଟେମ୍ବର ୨୦ ସୁଦ୍ଧା ଲାଟେରାଲ୍ ଏଣ୍ଟ୍ରି ଛାତ୍ରଛାତ୍ରୀମାନେ ସିଧା ଦ୍ୱିତୀୟ ବର୍ଷରେ ନାମ ଲେଖିପାରିବେ । ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନ ଅନୁମୋଦନ ପାଇଁ ଜୁନ୍ ୩୦ ତାରିଖ ଶେଷ ଦିବସ ରହିଛି । ଅପରପକ୍ଷେ ଜୁଲାଇ ୧୫ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟ ଓ ବୋର୍ଡଗୁଡିକ ଅନୁମୋଦନ ପ୍ରଦାନ କରିବେ ବୋଲି ଏଆଇସିଟିଇ ସଦସ୍ୟ ସଚିବ ପ୍ରଫେସର ରାଜୀବ କୁମାର ସୂଚନା ଦେଇଛନ୍ତି ।