ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: କରୋନାର କରାଳ ରୂପ ପୁରା ଦେଶକୁ ଗ୍ରାସ କରିଥିବା ବେଳେ ଭକ୍ତ ଭଗବାନ କେହି ବି ବାଦ୍ ପଡିନାହାନ୍ତି । ମହା ଆଡମ୍ୱରରେ ଆୟୋଜନ କରାଯାଉଥିବା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ମଧ୍ୟ ଚଳିତ ବର୍ଷ ମଳିନ ପଡିବାକୁ ଯାଉଛି । ବିନା ସମାଗମ, ବିନା ଭକ୍ତରେ ଆୟୋଜନ ହେବାକୁ ଯାଉଛି ଚନ୍ଦନ ଯାତ୍ରା । କରୋନା ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି । ସୀମିତ ସଂଖ୍ୟକ ସେବକଙ୍କୁ ନେଇ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ନୌବିହାର ଚାପ ଖେଳ ଆଉ ତିନି ରଥ ଅନୁକୂଳ ପର୍ବ ଅନୁଷ୍ଠିତ ହେବ। ବିନା ଭକ୍ତ ଏବଂ ୧୪୪ ଧାରା କଟକଣା ମଧ୍ୟରେ ଏହି ଦୁଇ ପର୍ବ ଚଳିତ ବର୍ଷ ପାଳନ ହେବାର ଆଭାସ ମିଳିଛି । ତେବେ ଗତ ବର୍ଷ ପରି ଏବର୍ଷ ମଧ୍ୟ ଫିକା ପଡିବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ।
ତେବେ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ଅଳ୍ପ ସେବାୟତଙ୍କ ଦ୍ୱାରା ନୀତିକାନ୍ତୀ କରାଯାଇ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା କରାଯିବ ।
ଗୋଷ୍ଠୀଗତ ସେବାରେ ଅଧିକ ସେବାୟତ ନିୟୋଜିତ ହେବାର ପରମ୍ପରାକୁ ଏବେ ନିୟନ୍ତ୍ରଣ କରାଯିବ। ଏଭଳି ମାନସିକତାର ସୂଚନା ଗୁରୁବାର ଅନୁଷ୍ଠିତ ଏକ ଭିଡିଓ କନଫରେନ୍ସ ବୈଠକରୁ ମିଳିଛି। ଲକ୍ଡାଉନ୍ ସହ ବିନା ଭକ୍ତରେ ଏହି ଦୁଇ ପର୍ବ ଶ୍ରୀମନ୍ଦିର ବାହାରେ କରିବାକୁ ସେବାୟତମାନଙ୍କ ବହୁମତ ରହିଛି। ଲକ୍ଡାଉନ୍ ବେଳେ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଓ ତିନି ରଥର ନିର୍ମାଣ ଅନୁକୂଳ ତିଥି ଆସନ୍ତା ୧୫ ତାରିଖରେ ପଡୁଛି । ଏନେଇ ଆସନ୍ତା ୧୧ ତାରିଖରେ ରୂପରେଖର ଚୂଡ଼ାନ୍ତ ଘୋଷଣା ହେବାର ଆଶା ରହିଛି।