ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ନିର୍ବାଚନ ପରେ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି ତୈଳଦର । ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ୪ ଦିନ ଭିତରେ ପଟ୍ରୋଲ ଲିଟର ପିଛା ୯୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ୧ ଟଙ୍କା ବଢ଼ିଛି । ତେବେ ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଛି । ଏଥି ସହ ଏହାର ଦର ୯୧ ଟଙ୍କା ୨୭ ପଇସାରେ ପହଞ୍ଚିଛି । ସେହିଭଳି ଡିଜେଲ ଲିଟର ପିଛା ୩୧ ପଇସା ବଢ଼ି ୮୧ ଟଙ୍କା ୭୩ ପଇସାରେ ପହଞ୍ଚିଛି ।
ତେବେ ଓଡ଼ିଶାରେ ମଧ୍ୟ ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ପ୍ରାୟ 30 ଟା ଯାକ ଜିଲ୍ଲାରେ ପେଟ୍ରୋଲ ଦର ୯୦ ଟଙ୍କା ଉପରେ ଥିବାବେଳେ ୪ ଟି ଜିଲ୍ଲାରେ ପେଟ୍ରୋଲ ଦର ୯୫ ଟଙ୍କା ଛୁଇଁଛି । ତେବେ ରାଜ୍ୟର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ସର୍ବାଧିକ ରହିଛି । ଏଠାରେ ପେଟ୍ରୋଲ ଦର ଲିଟର ପିଛା ସର୍ବାଧିକ ୯୭ ଟଙ୍କା ୩ ପଇସା ରହିଛି । ନବରଙ୍ଗପୁର ଓ କୋରାପୁଟରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୧୫ ପଇସାରେ ବିକ୍ରି ହେଉଛି । ରାୟଗଡ଼ାରେ ୯୫ ଟଙ୍କା ୭୩ ପଇସା ରହିଛି ପେଟ୍ରୋଲ ।
ପେଟ୍ରୋଲ ଭଳି ଡିଜେଲ ଦର ମଧ୍ୟ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ମାଲକାନଗିରିରେ ଡିଜେଲର ସର୍ବାଧିକ ମୂଲ୍ୟ ଲିଟର ପିଛା ୯୩ ଟଙ୍କା ୯୪ ପଇସା ରହିଛି । ନବରଙ୍ଗପୁର ଓ କୋରାପୁଟରେ ଡିଜେଲ୍ ଲିଟର ପିଛା ୯୩ ଟଙ୍କା ୯ ପଇସାରେ ବିକ୍ରି ହେଉଥିବା ବେଳେ ରାୟଗଡ଼ାରେ ୯୨ ଟଙ୍କା ୬୬ ପଇସା ରହିଛି ।