ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ନିଜର କରାଳ ରୂପ ଦେଖାଇଚାଲିଛି । ଦେଶରେ କରୋନା ପାଇଁ ଅକ୍ସିଜେନ, ମେଡିସିନ, ହସ୍ପିଟାଲ ବେଡର ଅଭାବ ଆହୁରୀ ଚିନ୍ତାର କାରଣ ସାଜିଛି । ହଜାର ହଜାର ସଂଖ୍ୟାର ରୋଗୀ ଅକ୍ସିଜେନ, ବେଡ୍ ଅଭାବରୁ ଛଟପଟ ହେଉଛନ୍ତି । ତେବେ ଏହି ମହାମାରୀ ସମୟରେ ଭାରତକୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଦେଶ ଆଗେଇ ଆସୁଛନ୍ତି । ତେବେ ନେଦରଲ୍ୟାଣ୍ଡ ମଧ୍ୟ ଭାରତକୁ ଏହି ସମୟରେ ସାହାଯ୍ୟ କରିବା ପାଇଁ ମେଡିକାଲ୍ ସାମଗ୍ରୀ ପଠାଇଛି । ପ୍ରଥମ ପର୍ଯ୍ୟାୟରେ ୪୪୯ଟି ଭେଣ୍ଟିଲେଟର ୧୦୦ଟି ଅକ୍ସିଜେନ୍ କନ୍ସେଣ୍ଟ୍ରେଟର୍ ଏବଂ ଆହୁରି କିଛି କୋଭିଡ୍-୧୯ ରିଲିଫ୍ ସାମଗ୍ରୀ ଧରି ନେଦରଲ୍ୟାଣ୍ଡରୁ ଆସିଥିବା ବିମାନ ଆଜି ଭାରତରେ ପହଞ୍ଚିଛି । କୋଭିଡ୍-୧୯ର ଦ୍ବିତୀୟ ପ୍ରବାହକୁ ମୁକାବିଲା କରୁଥିବା ଭାରତ ପାଇଁ ନେଦରଲ୍ୟାଣ୍ଡ ମାନବୀୟ ସହାୟତା ସ୍ବରୂପ ଉପରୋକ୍ତ ରିଲିଫ୍ ସାମଗ୍ରୀ ପଠାଇଛି ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚି ଟୁଇଟ୍ କରି ପ୍ରଥମେ ଏହି ଖବର ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଆମର ବହୁମୁଖୀ ସହଯୋଗ ଆହୁରି ସୁଦୃଢ଼ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪୪୯ଟି ଭେଣ୍ଟିଲେଟର୍, ୧୦୦ଟି ଅକ୍ସିଜେନ୍ କନ୍ସେଣ୍ଟ୍ରେଟର୍ ଏବଂ ଅନ୍ୟାନ୍ୟ ଡାକ୍ତରୀ ଉପକରଣ ନେଦରଲ୍ୟାଣ୍ଡରୁ ଆସି ପହଞ୍ଚିଛି। ଆଗାମୀ ଦିନମାନଙ୍କରେ ବାକି ଡାକ୍ତରୀ ଉପକରଣ ଆସି ପହଞ୍ଚିବ । ନେଦରଲ୍ୟାଣ୍ଡର ଏହି ସହାୟତା ଆମ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ତେବେ ଏହା ପୂର୍ବରୁ ଇଂଲଣ୍ଡ୍, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନି ଏବଂ ରୁଷ୍ ଆଦି ଦେଶ ଭାରତକୁ ସାହାଯ୍ୟ କରିଛନ୍ତି ।
 
🇮🇳🇳🇱
Further strengthening our multifaceted cooperation. First of the shipment of 449 ventilators, 100 oxygen concentrators & other medical supplies from Netherlands arrives. Over the coming days, remaining medical equipment would be shipped. Value this support from our friend 🇳🇱 pic.twitter.com/P3zGZwW3X5— Arindam Bagchi (@MEAIndia) May 6, 2021
;