ସନଷ୍ଟାର ଟିଭି ବ୍ୟୁରୋ
କଲମ୍ବୋ: ଦେଶରେ କରୋନାର ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି । ଏହି ସମୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଡୋଶୀ ଦେଶ ଭାରତ ସହ ବିମାନ ଗମନା ଗମନ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି । ପୂର୍ବରୁ ଆମେରିକା, ବ୍ରିଟେନ, କୁଏତ୍, ଅଷ୍ଟ୍ରେଲିଆ, ୟୁଏଇ ଆଦି ଅନେକ ଦେଶ ଭାରତକୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଏବେ ପଡୋଶୀ ଦେଶ ଶ୍ରୀଲଙ୍କା ମଧ୍ୟ ବିମାନ କଟକଣା ଜାରି କରିଛି ।
ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀ ହେତୁ ଶ୍ରୀଲଙ୍କାର ସ୍ୱାସ୍ଥ୍ୟ ଅଧିକାରୀଙ୍କଠାରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ ଭାରତରୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଉପରେ କଟକଣା ଲଗାଯାଇଛି | ଶ୍ରୀଲଙ୍କାରେ ମଧ୍ୟ କରୋନା ସ୍ଥିତି ଖରାପ ହେଉଥିବା ବେଳେ ସଂକ୍ରମଣକୁ କମ କରିବା ପାଇଁ ଶ୍ରୀଲଙ୍କା ସରକାର ଏହି ନିଷ୍ପତି ନେଇଛନ୍ତି | ବର୍ତ୍ତମାନର ପରିସ୍ଥିତିକୁ ଦେଖି ଭାରତର ଯାତ୍ରୀମାନଙ୍କୁ ଶ୍ରୀଲଙ୍କାରେ ଅବତରଣ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀଲଙ୍କାର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ କହିଛି । ତେବେ ଏ ନେଇ ଗୁରୁବାର ଦିନ ଘୋଷଣା କରାଯାଇଛି । ଏଥି ସହିତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଭ୍ରମଣ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି ।