ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ଦୈନିକ ସଂକ୍ରମଣ ହାର 10 ହଜାର ଉପରେ ରହିଛି । ତେବେ ରାଜ୍ୟରେ ଏହି ବର୍ଦ୍ଧିତ କରୋନା ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଟିକାକରଣ ମଧ୍ୟ ଜାରି ରହିଛି । ତେବେ ଏହାରି ମଧ୍ୟରେ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ପ୍ରେସମିଟରେ କୋଭିଡ୍ ଟିକାକରଣ ସଂପର୍କରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ରାଜ୍ୟରେ ୯୭% ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୮୭%କୁ ୨ୟ ଡୋଜ୍ ଦିଆଗଲାଣି । କୋଭିଡ ଆଗଧାଡିର ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ୍ ୯୭%, ୨ୟ ଡୋଜ୍ ୮୫% ନେଲେଣି । ରାଜ୍ୟରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବର୍ଗରେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି । ୧ କୋଟି ୧୬ ଲକ୍ଷ ଲୋକଙ୍କ ମଧ୍ୟରୁ ୪୩.୫୫ ଲକ୍ଷ ପ୍ରଥମ ଡୋଜ୍ ନେଲେଣି । ସେଥିରୁ ୨୩ ଲକ୍ଷ ୪୩ ହଜାର ଲୋକଙ୍କ ୨ୟ ଡୋଜ୍ ଡିଉ ହେଲାଣି । ୨ୟ ଡୋଜ୍ ଆମେ ଏଯାଏ ୫ ଲକ୍ଷ ୯୬ ହଜାର ଲୋକଙ୍କୁ ଦେଲୁଣି। ଏଯାଏ ପାଖାପାଖି ୧୭ ଲକ୍ଷ ଲୋକଙ୍କ ୨ୟ ଡୋଜ୍ ଡିଉ ହେଉଛି ।
ତେବେ ସେ ଆଉ ମଧ୍ୟ କହିଛନ୍ତି ଯେ, କୋଭାକ୍ସିନ ଟିକା କେବଳ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଦିଆଯାଉଛି। କୋଭାକ୍ସିନ ଟିକା ୨ୟ ଡୋଜ୍ ଦେବାରେ ଏଯାଏ କିଛି ସମସ୍ୟା ନାହିଁ । ଘରୋଇ ହସ୍ପିଟାଲରେ ୧ମ ଡୋଜ୍ ନେଇଥିଲେ, ସରକାରୀ ହସ୍ପିଟାଲରୁ ୨ୟ ଡୋଜ୍ ନେବେ । ସରକାରୀ ହସ୍ପିଟାଲରୁ ମାଗଣାରେ ୨ୟ ଡୋଜ୍ ଟିକା ନେଇପାରିବେ ବୋଲି ACS କହିଛନ୍ତି । ଏପ୍ରିଲ ୩୦ ସୁଦ୍ଧା ଘରୋଇ ହସ୍ପିଟାଲରେ ୧ମ ଡୋଜ୍ ନେଇଥିଲେ, ୨ୟ ଡୋଜ୍ ମାଗଣାରେ ନେବେ। BMC ଛାଡ଼ି ୩୦ ଜିଲ୍ଲାରେ କୋଭିସିଲଡ ଟିକା ଦିଆଯାଉଥିବାରୁ ସମସ୍ୟା ଉପୁଜିଛି। ଆମେ ତୁରନ୍ତ ୧୫ ଲକ୍ଷ ଡୋଜ୍ ଟିକା ଦେବାକୁ କେନ୍ଦ୍ରକୁ ନିବେଦନ କରିଛୁ । ତେବେ ଯେଉଁମାନେ ରେଜିଷ୍ଟ୍ରେସନ କରିଛନ୍ତି ଟିକା ଆସିଲେ ସେମାନଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।