ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ଦ୍ୱିତୀୟ ଲହର ନିଜର ଆତଙ୍କ ଜାରି ରଖିଥିବା ବେଳେ ଅଧିକ ଚିନ୍ତାର କାରଣ ସାଜିଛି କରୋନାର ଷ୍ଚ୍ରେନ । ଛତିଶଗଡ ଓ ପଶ୍ଚିମବଙ୍ଗ କରୋନା ଷ୍ଟ୍ରେନ ପରେ ଏବେ ଆନ୍ଧ୍ର ଷ୍ଟ୍ରେନ ଭୟ ଓଡିଶାକୁ ଘାରିଛି । ଅନ୍ୟ ଷ୍ଟ୍ରେନ ତୁଳନାରେ ଆନ୍ଧ୍ର ଷ୍ଟ୍ରେନ ଅଧିକ ଚିନ୍ତାର କାରଣ ସାଜିଛି । କାରଣ ଏହା ଅନ୍ୟମାନଙ୍କ ତୁଳନାରେ ଅଧିକ ଭୟଙ୍କର । ଏହାର ସଂକ୍ରମଣ ହାର ପୂର୍ବ ଅପେକ୍ଷା 15 ପ୍ରତିଶତ ଅଧିକ ।
ତେଣୁ ଓଡିଶାକୁ ଯେପରି ଏହା ନ ଆସେ ସେଥିପାଇଁ ସତର୍କତା ଜାରି କରିଛନ୍ତି ଏସଆରସି । ଆନ୍ଧ୍ର ସୀମାକୁ ଲାଗିଥିବା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର ଜିଲାର ସୀମାନ୍ତ ସବୁ ରାସ୍ତାରେ ତୁରନ୍ତ ଚେକପୋଷ୍ଟ କରିବା ପାଇଁ ନିର୍ଦେଶ ଜାରି କରାଯାଇଛି । ଆନ୍ଧ୍ର ଓ ତେଲଙ୍ଗାନା ସୀମାରେ ଥିବା ଛୋଟବଡ ରାସ୍ତାରେ ପୋଲିସ ମୃତୟନ କରିବାକୁ ନିର୍ଦେଶ ଦିଆଯାଇଛି ।
ଏହି ଦୁଇ ରାଜ୍ୟରୁ ଓଡିଶା ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୧୪ ଦିନିଆ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ୨ ରାଜ୍ୟରୁ ଓଡିଶା ଦେଇ ଅନ୍ୟରାଜ୍ୟକୁ ଯାଉଥିଲେ ଓଡିଶା ଭିତରେ ଗାଡିକୁ ଅଟକି ରହିବାକୁ ଅନୁମତି ମିଳିବ ନାହିଁ । ସୀମାବର୍ତ୍ତିୀ ଅଞ୍ଚଳର ସରପଞ୍ଚ ମାନେ ଆନ୍ଧ୍ର ଓ ତେଲେଙ୍ଗାନାରୁ ଆସୁଥିବା ଲୋକମାନଙ୍କୁ କ୍ୱାରାଣ୍ଟାଇନରେ ରହିବା ପାଇଁ ସଚେତନ କରିବେ । ତେବେ ଟିକାର ୨ଟି ଡୋଜ ନେଇଥିଲେ କିମ୍ବା ୪୮ ଘଣ୍ଟା ଭିତରେ କରିଥିବା ଆରଟିପିସିଆର ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇଲେ ୭ ଦିନିଆ ହୋମ କ୍ୱାରାଣ୍ଟାଇନ ପାଇଁ ଅନୁମତି ମିଳିବ ।