ସନଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ: ଓଡ଼ିଶା ପରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ସବୁ ଗଣମାଧ୍ୟମର କାର୍ଯ୍ୟରତ କର୍ମୀ ଓ ସେମାନଙ୍କ ପରିବାର ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ଯୋଗୀ ଆଦିତ୍ୟନାଥ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଗଣମାଧ୍ୟମ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ଟିକା ପ୍ରଦାନ କରାଯିବା ନେଇ ସେ କହିଛନ୍ତି ।
ସୂଚନା ଯୋଗ୍ୟ, କରୋନା ମହାମାରୀ ସମୟରେ ନିର୍ଭୀକ ଭାବରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ କରୋନା ସଂପର୍କିତ ଟିକିନିଖି ଖବର ଲୋକମାନଙ୍କ ନିକଟରେ ପହଞ୍ଚାଇବାରେ ସାମ୍ୱାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯେଉଁଥିପାଇଁ ଓଡିଶା ମେ 2 ତାରିଖ ଦିନ ଓଡିଶାର ସମସ୍ତ ସାମ୍ୱାଦିକମାନଙ୍କୁ କୋଭିଡ୍ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଥିଲେ । ଏହା ସହ ଓଡ଼ିଶା ସରକାର ଘୋଷଣା କରିଛନ୍ତି କି, ଯଦି କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ତେବେ ଏହା ପରେ ମଧ୍ୟପ୍ରଦେଶ ସରକାର ମଧ୍ୟ ନିଜ ରାଜ୍ୟର ସାମ୍ୱାଦିକମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରିଥିଲେ । ଏହା ପରେ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।