ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସନ୍ତା କାଲିଠୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଲକଡାଉନ୍ ।ମେ ୫ ଅର୍ଥାତ ବୁଧବାର ସକାଳ ୫ଟାରୁ ୧୯ ତାରିଖ ସକାଳ ୫ଟା ଯାଏଁ ବଳବତ୍ତର ରହିବ ଏହି ଲକ୍ଡାଉନ୍ । ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ । ଏହି ସମୟରେ ଜରୁରୀ ସେବା ଗୁଡିକ ଜାରି ରହିବ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପନିପରିବା, ତେଜରାତି ଦୋକାନ, ଫଳ ଦୋକାନ, ମାଛ, ମାଂସ ଦୋକାନ ଖୋଲା ରହିବ। ଦୋକାନଗୁଡ଼ିକ ପରସ୍ପର ମଧ୍ୟରେ ୩୦ ଫୁଟ ଦୂରତା ରକ୍ଷା କରିବେ । ଗ୍ରାହକ ଓ ବିକ୍ରେତା କଡ଼ାକଡ଼ି ଭାବେ କୋଭିଡ୍ ନିୟମ ମାନିବେ । କୌଣସି ଜାଗାରେ ହାଟ ଖୋଲିବନି ।
ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ । କେବଳ ଜରୁରୀ ସେବାରେ ନିୟୋଜିତ ସଂସ୍ଥାର କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାଇପାରିବେ । ବିମାନବନ୍ଦର ଓ ରେଳ ଷ୍ଟେସନକୁ ଯିବା ପାଇଁ ଆବଶ୍ୟକ ପ୍ରମାଣ ଦେଖାଇ ଯାଇହେବ । ଲକ୍ଡାଉନ୍ରେ କୋଭିଡ୍ ଟିକାକରଣ ବାଧାପ୍ରାପ୍ତ ହେବନି । ଅନୁମତିପ୍ରାପ୍ତ ଲୋକେ ଟିକା ପାଇଁ ଟିକାକରଣ କେନ୍ଦ୍ରକୁ ଯାଇପାରିବେ । ସେହିପରି କୋଭିଡ୍ ଟେଷ୍ଟିଂ ପାଇଁ ଲୋକେ ଯାଇପାରିବେ ।
ତେବେ ଗତକାଲି ପାଇଁ ଆଜି ରାଜ୍ୟରେ ଅଧିକ ଭିଡ ଦେଖିବାକୁ ମିଳିଛି । କଟକ, ଭୁବନେଶ୍ୱରରେ ପରିବା ଦୋକାନ, ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଦୋକାନ ଗୁଡିକରେ ଭିଡ ଦେଖିବାକୁ ମିଳିଛି ।