ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ଭାରତ ପାଇଁ ଚିନ୍ତାର ବିଷୟ ସାଜିଛି । ସଂକ୍ରମଣ ବଢିବା ସହ ଅକ୍ସିଜେନର ଅଭାବ ଯୋଗୁଁ ଅନେକ ରୋଗୀଙ୍କ ଜୀବନ ଯାଉଛି । ତେବେ ଏହି ସମୟରେ ଭାରତକୁ ସାହାଯ୍ୟ କରି ପଡୋଶୀ ଦେଶ ଗୁଡିକ ବନ୍ଧୁତା ବଜାୟ ରଖୁଛନ୍ତି ।
ତେବେ ଭାରତକୁ କରୋନା ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ଫାଇଜର ପ୍ରାୟ ୭୦ ମିଲିୟନ ଡଲାର (୫୧୦କୋଟିରୁ ଅଧିକ) ଔଷଧ ଦାନ କରିଥିବା ଜଣାପଡ଼ିଛି । ଆମେରିକା, ୟୁରୋପ ଏବଂ ଏସିଆର ବିତରଣ କେନ୍ଦ୍ରରୁ ଭାରତକୁ ଏହି ଔଷଧ ଆସୁଛି । ଆଜି କମ୍ପାନିର ଚେୟାରମ୍ୟାନ୍ ତଥା ସିଇଓ ଆଲବର୍ଟ ବୋର୍ଲା ଏ ନେଇ ସୂଚନା ଦେଇଛନ୍ତି।
ବୋର୍ଲା କହିଛନ୍ତି ଯେ, ଭାରତର ଏଭଳି ପରିସ୍ଥିତିରେ ଆମେ ମଧ୍ୟ ଭାରତ ପାଇଁ ଚିନ୍ତିତ ଅଛୁ । କରୋନା ବିରୁଦ୍ଧରେ ଭାରତର ଲଢେଇରେ ଆମେ ସାହାଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ । ଆମେ ପଠାଇଥିବା ଔଷଧ ଭାରତରେ ଥିବା କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରିବ। ଡାକ୍ତରଖାନାରେ ଭର୍ତ୍ତି ଥିବା ରୋଗୀ ମାଗଣାରେ ଏହି ଔଷଧ ପାଇପାରିବେ । ଭାରତର ସ୍ଥିତିକୁ ଦେଖି ଆମେ ଭାରତ ସରକାରଙ୍କୁ ଏହି ସାହାଯ୍ୟ ଯୋଗାଇ ଦେଇଛୁ ।
ତେବେ ଏହା ପୂର୍ବରୁ ଫାଇଜର ପକ୍ଷରୁ ତିଆରି କରାଯାଇଥିବା କରୋନା ଟିକାର ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଭାରତ ସରକାର ଏହାକୁ ଅନୁମତି ଦେଇନଥିଲେ । କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖି ବିଦେଶୀ ଟିକାକୁ ସ୍ୱୀକୃତି ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।