ସନଷ୍ଟାର ଟିଭି ବ୍ୟୁରୋ
Image courtesy – ANI
ଅହମ୍ମଦାବାଦ: ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବେଡ୍ ଓ ଅକ୍ସିଜେନ୍ ର ଅଭାବ ସହିତ ଆଉ ଏକ ଅଭାବନୀୟ ଘଟଣା ଘଟିଛି । କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିବା କାରଣରୁ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗୁଜୁରାଟର ଭରୁଚ ୱେଲଫେୟାର ହସ୍ପିଟାଲରେ । ଗତକାଲି ମଧ୍ୟରାତ୍ର ପ୍ରାୟ ସାଢ଼େ ୧୨ଟାବେଳେ ଏହି ହସ୍ପିଟାଲରେ ନିଆଁ ଲାଗି ଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ଭରୁଚ ଏସପି ରାଜେନ୍ଦ୍ର ସିଂ ଚୁଡାସାମା କହିଛନ୍ତି ଯେ ଆଇସିୟୁ ୱାର୍ଡରେ ସର୍ଟ ସର୍କିଟ ଥିବାରୁ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା। ଡାକ୍ତରଖାନାରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ୧୦ ଟି ଅଗ୍ନିଶମ ବାହିନୀକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ନିଆଁକୁ ନିୟନ୍ତ୍ରଣ କରାଯିବା ସହ ରୋଗୀଙ୍କୁ ଡାକ୍ତରଖାନାରୁ ବାହାର କରାଯିବା ବେଳକୁ ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ମୃତକଙ୍କ ମଧ୍ୟରେ ୧୨ ଜଣ ରୋଗୀ ଓ ଦୁଇଜଣ ନର୍ସ ଅଛନ୍ତି। ତେବେ ଅନ୍ୟ ୪ ଜଣ ମୃତକଙ୍କର ଏପର୍ଯ୍ୟନ୍ତ ପରିଚୟ ମିଳିପାରି ନାହିଁ ।
Image Courtesy- ANI
ତେବେ ଅଗ୍ନିକାଣ୍ଡ ଘଟିବା ସମୟରେ ସେଠାରେ ପ୍ରାୟ ୫୮ ଜଣ ରୋଗୀ ଭର୍ତ୍ତି ହୋଇଥିଲେ । ସମସ୍ତ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । । ବର୍ତ୍ତମାନ ତଦନ୍ତ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।