ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ମେ ମାସରୁ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଓ ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ । ତେବେ ଏହି ବୟସର ବ୍ୟକ୍ତି କରୋନା ଟିକା ନେବାକୁ ଚାହୁଁଥିଲେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ବିନା ପଞ୍ଜୀକରଣରେ ଟିକାଗ୍ରହଣ କେନ୍ଦ୍ରରେ ଏହି ବୟସର ବର୍ଗର କୌଣସି ନାଗରିକଙ୍କୁ ଟିକା ଦିଆଯିବ ନାହିଁ । ତେବେ ଏହି ଅନ୍ଲାଇନ୍ ପଞ୍ଜିକରଣ ପ୍ରକ୍ରୀୟା ଆଜି ଅପରାହ୍ନ ୪ଟାରୁ ଆରମ୍ଭ ହେବ । କୋ- ଓ୍ଵିନ୍ ଆପ୍ ଓ ଆରୋଗ୍ୟ ସେତୁ ଆପ୍ ଜରିଆରେ ପଞ୍ଜୀକରଣ କରିହେବ । ତେବେ ଟିକା ନେବା ପାଇଁ ଏବେ ସ୍ଲଟ୍ ମିଳିବ ନାହିଁ । ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ସ୍ଳଟ୍ ଆବଣ୍ଟନ କରାଯିବ । ଦୁଇ ଟିକା ଉତ୍ପାଦନ କଂପାନୀଠାରୁ ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ଡେରି ହୋଇପାରେ ବୋଲି କହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଟିକା ଆସିବା ପରେ କିଏ କେଉଁ ଦିନ କେଉଁଠି ନେବେ ତାହା ମେସେଜ ମାଧ୍ୟମରେ ଜଣାଇ ଦିଆଯିବ ।
ତେବେ ପଞ୍ଜୀକରଣ କରିବା ପାଇଁ ପ୍ରଥମେ cowin.gov.in କୁ ଯାଇ, ସେଠାରେ ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ । ଏହାପରେ ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ । ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ ଏବଂ ସେହି OTPକୁ ପୋର୍ଟାଲରେ ଦେଇ ଭେରିଫାୟ ବଟନରେ କ୍ଲିକ୍ କରନ୍ତୁ । ଏହାପରେ ଟିକା ପଞ୍ଜୀକରଣ ପାଇଁ ଫର୍ମ ଆସିବ । ସେଠାରେ ନିଜର ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ । ଯଦି ଆପଣ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି, ସେ ସଂପର୍କରେ ମଧ୍ୟ ସୂଚନା ଦିଅନ୍ତୁ । ଏହାପରେ ତଳେ ଡାହାଣ ପଟେ ଥିବା ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ । ଏଭଳି ଭାବେ ଆପଣ ଟିକା ନେବାକୁ ପଞ୍ଜିକୃତ ହୋଇସାରିବା ପରେ, ଟିକା ନେବା ପାଇଁ ଇଚ୍ଛା ଅନୁସାରେ ତାରିଖ ଓ ସ୍ଥାନକୁ ବାଛନ୍ତୁ । ଯଦି ଆପଣ ପରିବାରର ଅନ୍ୟ ସଦସ୍ୟଙ୍କ ନାଁ ପଞ୍ଜୀକରଣକରିବା ପାଇଁ ଚାହୁଁଛନ୍ତି, ତେବେ ଆଡ୍ ମୋର୍ ବଟନରେ କ୍ଲିକ୍ କରି ପଞ୍ଜୀକରଣ କରନ୍ତୁ ।