ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ହ୍ରାସ ପାଇଲା କରୋନା ଭ୍ୟାକ୍ସିନ କୋଭିସିଲ୍ଡ ଦର । ପୂର୍ବରୁ ରାଜ୍ୟ ସରକାରଙ୍କ ପାଇଁ ଡୋଜ୍ ପିଛା ଦର ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ଏହା ହ୍ରାସ କରାଯାଇଛି । ବର୍ତ୍ତମାନ ଏହାର ଦର ୩୦୦ ଟଙ୍କା ରହିଛି । ଏନେଇ ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦାର ପୁନେଓ୍ଵାଲା ସୂଚନା ଦେଇଛନ୍ତି । ତେବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ ଟିକାକରଣର ଆବଶ୍ୟକତା ରହିଛି । ରାଜ୍ୟ ସରକାରମାନଙ୍କ ପାଇଁ ଏଭଳି ସମୟରେ ଭ୍ୟାକ୍ସିନ୍ ଦର ହ୍ରାସ ପାଇଥିବାରୁ ସାଧାରଣ ଜନତା ତଥା ସମସ୍ତ ରାଜ୍ୟ ସରକାର ଆଶ୍ଵସ୍ତି ଲାଭ କରିଛନ୍ତି । ଘରୋଇ ହସ୍ପିଟାଲ ମାନଙ୍କ ପାଇଁ ଯେଉଁ ଦର ଧାର୍ଯ୍ୟ କରାଯାଇଥିଲା ସେଥିରେ କିଛି ପରିବର୍ତ୍ତନ ହୋଇନାହିଁ । ଅର୍ଥାତ୍ ହସ୍ପିଟାଲ ଗୁଡିକ ୬୦୦ ଟଙ୍କା ଦେଇ କୋଭିସିଲ୍ଡ ଟିକାର ଗୋଟିଏ ଡୋଜ୍ କିଣିବେ । ତେବେ ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କୋଭିଡ୍ ଭ୍ୟାକସିନ ଦର କମାଇବା ପାଇଁ ଭ୍ୟାକସିନ୍ ଦର ନିର୍ମାତାମାନଙ୍କୁ ଅନୁରୋଧ କରିଥିଲେ ।