ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପର ମୁହାଁ ରହିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଟିକାକରଣ କାର୍ଯ୍ୟକାର୍ମ ଜାରି ରହିଛି । ତେବେ ମେ’ ୧ରେ ଭାରତରେ ରୁଷିଆ ଟିକା ସ୍ପୁଟନିକ–ଭି ପହଞ୍ଚିବାକୁ ଯାଉଛି । ତେବେ କେତେ ସଂଖ୍ୟକ ଡୋଜ୍ ଭାରତକୁ ଆସିବ ସେନେଇ ଏଯାଏଁ ସ୍ପଷ୍ଟୀକରଣ ମିଳିନଥିଲେ ମଧ୍ୟ ମେ ୧ରେ ହିଁ ଏହି ଟିକାର ପ୍ରଥମ ଡୋଜ ଭାରତରେ ପହଞ୍ଚିବ ବୋଲି ସୂଚନା ମିଳିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ବିଭିନ୍ନ ଦେଶର ଭ୍ୟାକ୍ସିନ୍ ନିର୍ମାଣକାରୀ କମ୍ପାନୀ ସହ ଭର୍ଚୁଆଲ୍ ମାଧ୍ୟମରେ ଟିକା ଦେବା ସମ୍ଵନ୍ଧରେ ଆଲୋଚନା କରିଥିଲେ । କମ୍ ସମୟ ମଧ୍ୟରେ ଭାରତକୁ ଟିକା ଦେବା ପାଇଁ ଅନୁରୋଧ କରିଥିଲେ ।ତେବେ ଏଭଳି ମହାମାରୀ ସମୟରେ ଭାରତକୁ ବିଟ୍ରେନ୍, ଜର୍ମାନୀ, ଫ୍ରାନ୍ସ, ଆମେରିକା ଭଳି ଦେଶ ସାହାଯ୍ୟର ହାତ ବଢାଇଛନ୍ତି । ଚିକିତ୍ସା ପାଇଁ ମେଡିସିନ୍, ଅକ୍ସିଜେନ ଭଳି ଜରୁରୀ ଜିନିଷ ଯୋଗାଇ ଦେବାକୁ ସୂଚନା ଦେଇଛନ୍ତି ।
ମେ’ ୧ ତାରିଖରୁ ଭାରତରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବାକୁ ଥିବା ବେଳେ ଏଥିପାଇଁ ଅଧିକ ଟିକା ଆବଶ୍ୟକ ।