ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ମେ ୧ ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଆରମ୍ଭ ହେଉଛି ଓ ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ । ତେବେ ଏହି ବୟସର ବ୍ୟକ୍ତି କରୋନା ଟିକା ନେବାକୁ ଚାହୁଁଥିଲେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ବିନା ପଞ୍ଜୀକରଣରେ ଟିକାଗ୍ରହଣ କେନ୍ଦ୍ରରେ ଏହି ବୟସର ବର୍ଗର କୌଣସି ନାଗରିକଙ୍କୁ ଟିକା ଦିଆଯିବ ନାହିଁ । ତେବେ ଏହି ଅନ୍ଲାଇନ୍ ପଞ୍ଜିକରଣ ପ୍ରକ୍ରୀୟା ଆସନ୍ତା କାଲି ଅର୍ଥାତ୍ ୨୮ ଏପ୍ରିଲରୁ ଆରମ୍ଭ ହେବ । କୋ- ଓ୍ଵିନ୍ ଆପ୍ ଜରିଆରେ ପଞ୍ଜୀକରଣ କରିହେବ । କୋ- ଓ୍ଵିନ୍ ଆପ୍ରେ ଦୁଇଟି ପ୍ରକ୍ରିୟା ରହିଛି ଗୋଟିଏ ପଞ୍ଜିକରଣ ଓ ଅନ୍ୟଟି ଆପଏଣ୍ଟମେଣ୍ଟ ପ୍ରକ୍ରିୟା ଦେଇ ସମସ୍ତଙ୍କୁ ଆସିବାକୁ ପଡ଼ିବ । ପଞ୍ଜିକରଣ ପରେ ଟିକାକୁ ଦେଖି ସ୍ଲଟ ବୁକ କରାଯିବ । ଟିକା ଆସିବା ପରେ କିଏ କେଉଁ ଦିନ କେଉଁଠି ନେବେ ତାହା ମେସେଜ ମାଧ୍ୟମରେ ଜଣାଇ ଦିଆଯିବ । ଆମକୁ ଯେତିକି ପରିମାଣର ଟିକା ମିଳିବ ତାହା ଉପରେ ତୃତୀୟ ପର୍ଯ୍ୟାୟ ଟିକାକରଣ ନିର୍ଭର କରିବ ।
ବର୍ତ୍ତମାନ ୬୦ ବର୍ଷରୁ ଅଧିକ ଓ ୪୫-୫୯ ବର୍ଷସ ବର୍ଗର ନାଗରିକଙ୍କୁ ସିଧାସଳଖ ଟିକା ଗ୍ରହଣ କେନ୍ଦ୍ରରେ ପଞ୍ଜୀକରଣ କରାଯିବା ପରେ ଟିକା ପ୍ରଦାନ କରାଯାଉଛି । କିନ୍ତୁ ୧୮-୪୫ ବର୍ଷ ବୟସର ନାଗରିକଙ୍କୁ ଏହି ସୁବିଧା ବର୍ତ୍ତମାନ ମିଳିପାରିବ ନାହିଁ । କାରଣ ଏହି ବର୍ଗର ନାଗରିକଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଟିକା କେନ୍ଦ୍ରରେ ପଞ୍ଜୀକରଣ କଲେ ଭିଡ ସୃଷ୍ଟି ହେବ । ତା’ଛଡା ଅନେକ ରାଜ୍ୟରେ ଏବେ ଟିକା ଅଭାବ ସମସ୍ୟା ରହିଛି । ଏସବୁକୁ ବିଚାରକୁ ନେଇ ସରକାର ଆଗୁଆ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି ।