ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ରବି ଧାନ ସଂଗ୍ରହ ନେଇ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ୍ ଅନୁସାରେ ଚଳିତବର୍ଷର ରବି ଧାନ ସଂଗ୍ରହ ଆସନ୍ତା ମେ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ପ୍ରଥମ ସପ୍ତାହରେ ୧୭ଟି ଜିଲ୍ଲାରେ ରବି ଧାନ ସଂଗ୍ରହ କରାଯିବ ।
ଚଳିତବର୍ଷର ରବି ଧାନ ସଂଗ୍ରହ ଆସନ୍ତା ମେ ମାସ ପ୍ରଥମ ସପ୍ତାହରୁ ୧୭ଟି ଜିଲ୍ଲାରେ ଆରମ୍ଭ ହେବ । ଧାନ ସଂଗ୍ରହ ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଓ ଉତ୍ତରଦାୟୀ କରିବାକୁ ବୈଷୟିକ ଜ୍ଞାନ କୌଶଳ ଉପଯୋଗ ଉପରେ ଗୁରୁତ୍ବ ଦିଆଯାଇଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଠାରୁ ଅଗ୍ରାଧିକାର ଭିତ୍ତିରେ କିପରି ଅଧିକକୁ ଅଧିକ ରବିଧାନ ସଂଗ୍ରହ କରାଯାଇପାରିବ ସେ ଦିଗରେ ଗୁରୁତ୍ବ ଦେବାକୁ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ମାର୍ଗଦର୍ଶିକା ଅନୁଯାୟୀ, ପ୍ରତ୍ୟେକ ସୋସାଇଟିର ପଞ୍ଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କଠାରୁ ଅନ୍ଲାଇନ୍ରେ ପି-ପାସ୍ ଓ ଆଗୁଆ ଟୋକେନ୍ ପ୍ରଦାନ ମାଧ୍ୟମରେ ଧାନ ସଂଗ୍ରହ କରାଯିବ । ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ସୋସାଇଟି ପାଇଁ କଷ୍ଟମ ମିଲରମାନଙ୍କୁ ନିୟୋଜିତ କରିବେ । ମିଲରମାନେ କେତେ ପରିମାଣର ଧାନ ଉଠାଣ କରିବେ ସେ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀମାନେ ଲକ୍ଷ୍ୟ ଧାର୍ଯ୍ୟ କରିବେ । ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରାଯିବ। ମଣ୍ଡିର ଧାର୍ଯ୍ୟ ଲକ୍ଷ୍ୟ ସମ୍ପର୍କରେ ଅନ୍ଲାଇନ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ । ଜିଲ୍ଲା ସ୍ତରରେ ପଞ୍ଜୀକୃତ ଚାଷୀମାନଙ୍କ ମୋବାଇଲକୁ ଓଡ଼ିଆ ଭାଷାରେ ଧାନ ସଂଗ୍ରହ ଦିନର ୭ ଦିନ ପୂର୍ବରୁ ଏସ୍ଏମ୍ଏସ୍ ପ୍ରେରଣ କରାଯିବ । କେଉଁଦିନ କେତେ ପରିମାଣର ଧାନ ନିର୍ଦ୍ଧାରିତ ଧାନ ସଂଗ୍ରହ କେନ୍ଦ୍ରକୁ ଚାଷୀ ଆଣିବେ ସେସବୁର ପୂର୍ଣ୍ଣାଙ୍ଗ ବିବରଣୀ ରହିବ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ୭୦ ପ୍ରତିଶତ ଏସ୍ଏମ୍ଏସ୍ ବ୍ୟବସ୍ଥା ଓ ବଡ଼ ଚାଷୀଙ୍କ ପାଇଁ ବାକି ୩୦ ପ୍ରତିଶତ ଏସ୍ଏମ୍ଏସ୍ ପଠାଯିବ ।
ରବି ଧାନ ସଂଗ୍ରହ ପାଇଁ ଏସ୍ଏମ୍ଏସ୍ ୧୫ ଦିନ ପର୍ଯ୍ୟନ୍ତ ବୈଧ ରହିବ । ଯଦି ଚାଷୀ ଏସ୍ଏମ୍ଏସ୍ ପାଇବାର ୭ ଦିନ ଭିତରେ ମଣ୍ଡିକୁ ଧାନ ନ ଆଣିଲେ, ତେବେ ପରବର୍ତ୍ତୀ ୫ ଦିନ ଭିତରେ ମଣ୍ଡିକୁ ଧାନ ଆଣିବାକୁ ସମ୍ପୃକ୍ତ ଚାଷୀଙ୍କ ମୋବାଇଲକୁ ଆଉ ଗୋଟିଏ ମେସେଜ୍ ପଠାଯିବ । ପ୍ରତ୍ୟେକ ଦିନର ଧାନ ସଂଗ୍ରହ ବିବରଣୀ ଅନ୍ଲାଇନ୍ ଜରିଆରେ ସୋସାଇଟିଗୁଡ଼ିକ ସରକାରଙ୍କୁ ପ୍ରଦାନ କରିବେ । ଏହାଦ୍ବାରା ଅସାଧୁ ବ୍ୟକ୍ତିଙ୍କ ଦ୍ବାରା ମଣ୍ଜିରୁ ଅନଧିକୃତ ଧାନ ଆଣିବା ଉପରେ ନଜର ରଖାଯାଇପାରିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ।