ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ରାଷ୍ଟ୍ରର ସେବାରେ ୭୫ ବର୍ଷର ଗୈାରବମୟ ଯାତ୍ରାର ଚିହ୍ନ ସ୍ୱରୁପ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ, ତା’ର ପ୍ଲାଟିନମ୍ ଜୁବୁଲି ପ୍ରତିଷ୍ଠା ଦିବସ ତା ୨୩ ଏପ୍ରିଲ ୨୦୨୧ ରିଖରେ (ଭର୍ଚୁଆଲ ମାଧ୍ୟମରେ) ପାଳନ କରିଛି । ଉଦ୍ଘାଟନ ଉତ୍ସବରେ କେନ୍ଦ୍ର ସରକାରଙ୍କର ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ମାନନୀୟ ଶ୍ରୀ କୈଳାସ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତ ସରକାରଙ୍କ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗର ସଚିବ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆ ଦିଲ୍ଲୀର ମହାନିର୍ଦ୍ଦେଶକ ଡଃ ତ୍ରିଲୋଚନ ମହାପାତ୍ର ଏବଂ ଭାରତ ସରକାରଙ୍କ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆ ଦିଲ୍ଲୀର ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ଉପସ୍ଥିତିରେ ମୁଖ୍ୟଅତିଥି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ଲାଟିନମ୍ ଜୁବୁଲି ସଭାଗାର ଏବଂ ଏନ୍.ଆର୍.ଆର୍.ଆଇ ପ୍ଲାଟିନମ୍ ଜୁବୁଲି ଜାତୀୟ ସେମିନାର (ବିଷୟ : ଭାରତରେ ଧାନ ଗବେଷଣା ଏବଂ ଏହାର ବିକାଶ) ଉଦ୍ଘାଟନ କରିଥିଲେ ।
ଏହି ଅବସରରେ “ପ୍ଲାଟିନମ୍ ଜୁବୁଲି ସ୍ୱତନ୍ତ୍ର ପୋଷ୍ଟାଲ ଲଫାପା ଓ ଡାକ ଟିକଟ” ଏବଂ ଅନୁଷ୍ଠାନର ୪୦ ରୁ ଅଧିକ ବିଭିନ୍ନ ପ୍ରକାଶନ (ବହି, ପତ୍ରିକା, ବୁଲେଟିନ୍ ଆଦି) ଉନ୍ମୋଚନ କରାଯାଇଥିଲା । ମୁଖ୍ୟଅତିଥି ଏବଂ ସମ୍ମାନନୀୟ ଅତିଥିଙ୍କ ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶରୁ ୩୨ ଜଣ ଅଗ୍ରଣୀ କୃଷକ ଓ କୃଷିଜୀବି ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା । ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନକୁ ଆଖିଆଗରେ ରଖି ଅନୁଷ୍ଠାନର ବୈଜ୍ଞାନିକମାନେ ଧାନ ଚାଷର ଉତ୍ପାଦନଶୀଳତା ଲାଭଜନକତା ବଜାୟ ରଖିବା ପାଇଁ ପରିବେଶ ଅନୁକୂଳ ନୂତନ ପ୍ରବିଧି ବିଜ୍ଞାନର ଫଳପ୍ରଦ ବିସ୍ତାର କରିବା ପାଇଁ ମୁଖ୍ୟ ଅତିଥି ତାଙ୍କ ସଂଭାଷଣରେ କହିଥିଲେ । ଯାହାଫଳରେ ପ୍ରାକୃତିକ ସମ୍ବଳର ଅବନତି ନଘଟି ଦେଶ ଓ ବିଦେଶରେ ଧାନର ଚାହିଦା ପୂରଣ ହୋଇପାରିବ । ଏହି ଅବସରରେ ମହାନିର୍ଦ୍ଦେଶକ ଡ଼ଃ ତ୍ରିଲୋଚନ ମହାପାତ୍ର ଅନୁଷ୍ଠାନର ସବୁଜ ବିପ୍ଳବରେ ଯୋଗଦାନ କଥା ମନେପକାଇଥିଲେ । ଅତିରିକ୍ତ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଦେଶପାଇଁ ଅନୁଷ୍ଠାନର ୭୫ବର୍ଷର ଯୋଗଦାନ କଥା ମନେପକାଇଥିଲେ ଏବଂ ବର୍ତ୍ତମାନର କରୋନା ପରିସ୍ଥିତିରେ ନୂତନ ଗବେଷଣା କଥା କହିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ ଦିପଙ୍କର ମାଇତି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଅନୁଷ୍ଠାନର ୭୫ ବର୍ଷର ଗୌରବମୟ ଯାତ୍ରା ବିଷୟରେ ଆଲୋକପାତ କରିଥିଲେ । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆ ଦିଲ୍ଲୀର ସହାୟକମହାନିର୍ଦ୍ଦେଶକ ( ଖାଦ୍ୟ ଏବଂ ଚାରା ଫସଲ ବିଭାଗ) ଡ଼ଃ ୟାଇ.ପି.ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଡ଼ଃ ଅଖିଳେଶ କୁମାର ତ୍ୟାଗି Analysis of rice gene function during development ଶୀର୍ଷକ ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନ୍ୟ ମୁଖ୍ୟ ବକ୍ତା ଡ଼ଃ ଏ.କେ. ସିଂ , ନିର୍ଦ୍ଦେଶକ,IARI, ନୂଆଦିଲ୍ଲୀ ଡ଼ଃ ହିମାଂଶୁ ପାଠକ, ନିର୍ଦ୍ଦେଶକ, NIASM, ବାରାମାତି, ଡ଼ଃ ପି.ଚକ୍ରବର୍ତ୍ତୀ, ସଦସ୍ୟ, , ASRB, ଡ଼ଃ ପି.ଚନ୍ଦ୍ରଶେଖର, ମହାନିର୍ଦ୍ଦେଶକ, , MANAGE, ହାଇଦ୍ରାବାଦ ଏବଂ ଡ଼ଃ ସୁରେଶ ପଲ୍ , ନିର୍ଦ୍ଦେଶକ, NIAP, ନୂଆଦିଲ୍ଲୀ ଫସଲର ଉନ୍ନତି, ଫସଲ ସୁରକ୍ଷା, ପ୍ରାକୃତିକ ସମ୍ବଳର ପରିଚାଳନା, ଚାାଷଆଧାରିତ ବ୍ୟବସାୟୀକରଣ ଉପରେ ନିଜର ମତ ରଖିଥିଲେ । ଏହି ଅବସରରେ ବିଶ୍ୱବିଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପୁରୀ ବେଳାଭୂମିରେ ଏକ ସ୍ୱତନ୍ତ୍ର ବାଲୁକାଶିଳ୍ପ ପ୍ରସ୍ତୁତ କରାଯାଇଛି ।
ଏହି ଅବସରରେ ପ୍ରାୟ ୫୦ ଜଣ ଚାଷୀ ଅନ୍ଲାଇନ୍ ମାଧ୍ୟମରେ ବୈଜ୍ଞାନିକଙ୍କ ସହିତ ଚାଷରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଅନୁଷ୍ଠାନ ଏହାର ପୂର୍ବତନ ବୈଜ୍ଞାନିକ, ତକନିକ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସମ୍ମାନିତ କରିବା ସହିତ ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରିଥିଲା । ସନ୍ଧ୍ୟାରେ ଅନୁଷ୍ଠାନର ଛୋଟ ଛୋଟ କଳାକାରଙ୍କୁ ନେଇ “ମଧୁରମ” ନାମରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ଆୟୋଜନ ସଚିବ ଡ଼ଃ ସୁମନ୍ତ କୁମାର ମିଶ୍ର ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।