ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦିଲ୍ଲୀରେ ହସ୍ପିଟାଲରେ ଅକ୍ସିଜେନ୍ର ଅଭାବ ସବୁଠୁ ବଡ ଚିନ୍ତାର ବିଷୟ ସାଜିଛି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରେସ୍ କନ୍ଫରେନ୍ସ ଜରିଆରେ ଓଡିଶାର ପ୍ରଂଶସା କରିଛନ୍ତି । ଦିଲ୍ଲୀକୁ ଅକ୍ସିଜେନ ଯୋଗାଣରେ ସାହାଯ୍ୟ କରିବା ପାଇଁ କେନ୍ଦ୍ର ତଥା ଅନ୍ୟ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି । ଏଥି ସହିତ ସେ ଓଡିଶାକୁ ପ୍ରଂଶସା ମଧ୍ୟ କରିଛନ୍ତି । ସେ କହିଛନ୍ତି ଏହି ମହାମାରୀ ସମୟରେ ଓଡିଶା ଦିଲ୍ଲୀକୁ ଅକ୍ସିଜେନ ପଠାଇ ଯଥେଷ୍ଟ ସାହାଯ୍ୟ କରୁଛି । ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକ୍ ବିଭିନ୍ନ ରାଜ୍ୟରେ ଅଟକା ଯାଉଛି ।ତେଣୁ ଓଡିଶାରୁ ବିମାନ ଯୋଗେ ଅକ୍ସିଜେନ ପଠାଇବାକୁ ସେ ଅନୁରୋଧ କରିଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ ଦିଲ୍ଲୀକୁ ପ୍ରତିଦିନ ୭୦୦ ଟନ୍ ଅକ୍ସିଜେନର ଆବଶ୍ୟକତା ରହିଛି । କେନ୍ଦ୍ର ପୂର୍ବରୁ ୩୮୦ ଟନ୍ ଯୋଗାଉଥିବା ବେଳେ ବର୍ତ୍ତମାନ ୪୮୦ ଟନ୍ ଦେବାକୁ କହିଛନ୍ତି । ଯେଉଁଥିପାଇଁ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ସରକାର । ତେବେ ସବୁ ରାଜ୍ୟକୁ ଏକତ୍ରିତ ହୋଇ କାମ କରିବାକୁ ଦିଲ୍ଲୀ ସରକାର ଅନୁରୋଧ କରିଛନ୍ତି । ପରସ୍ପରକୁ ସାହାଯ୍ୟ କରିବା ପାଇଁ ସେ କହିଛନ୍ତି । ଏଭଳି ପରସ୍ଥିତିରେ ଅନ୍ୟ ରାଜ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ।