ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ପିପିଲି ନିର୍ବାଚନ ପାଇଁ ପ୍ରାର୍ଥୀ ହେବାକୁ ମନା କରିଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଜିତ ମଙ୍ଗରାଜଙ୍କ ପତ୍ନୀ । ଅଜିତଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଚର୍ଚ୍ଚା ହେଉଥିବା ବେଳେ ସେ ଗୁରୁବାର ନିର୍ବାଚନ ଲଢିବା ପାଇଁ ମନା କରିଦେଇଥିବା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି । ଆଜି(ଗୁରୁବାର) ରାତି ସୁଦ୍ଧା ପିପିଲି ଉପନିର୍ବାଚନ ପାଇଁ ପାର୍ଥୀ ଘୋଷଣା ହେବ । ଅଜିତ ମଙ୍ଗରାଜଙ୍କ ପତ୍ନୀ ପାର୍ଥୀ ହେବାକୁ ମନା କରିବା ପରେ ଆଉ ଦୁଇ ତିନିଜଣଙ୍କ ନାମ ଏଆଇସିସିକୁ ପଠାଯିବାକୁ ଯୋଜନା କରାଯାଉଛି । ଏନେଇ କମିଟି ଆଲୋଚନା କରୁଛି । ଆଲୋଚନା ପରେ ଏଆଇସିସିକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଅଜିତ ମଙ୍ଗରାଜଙ୍କ ପତ୍ନୀ ମାନସିକ ସ୍ତରରେ ପ୍ରସ୍ତୁତ ନଥିବା ସେ କହିଛନ୍ତି । ତେବେ ସୂଚନା ଥାଉ କି ପିପିଲି ଉପନିର୍ବାଚନ ଲାଗି କଂଗ୍ରେସ ଦଳ ପକ୍ଷରୁ ବରିଷ୍ଠ ନେତା ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ ପ୍ରଚାର ସମୟରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଅଜିତ । ଏହାପରେ ଅଜିତଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ଥିତି ନସୁଧୁରିବାରୁ ଅଜିତଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ମୃତ୍ୟୁ ସହିତ ସଂଗ୍ରାମ କରି ଏପ୍ରିଲ ୧୪ ତାରିଖରେ ଅଜିତଙ୍କ ମୃତ୍ୟୁ ଘଟିଥିଲା ।