ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାର ୪ ହଜାର ଟପିଲାଣି । ଏଭଳି ସ୍ଥିତିରେ ଲୋକମାନଙ୍କୁ ସତର୍କତା ଅବଲମ୍ଵନ କରିବାକୁ ସରକାର ବାରମ୍ଵାର ଅନୁରୋଧ କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଅଧିକ କୋଭିଡ୍ ହସ୍ପିଟାଲ୍ ଖୋଲିବା ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ବିଭିନ୍ନ ହସ୍ପିଟାଲରେ ୯ ହଜାର ୮ଟି ବେଡ୍ ରହିଛି । ସେଥି ମଧ୍ୟରୁ ଘରୋଇ ହସ୍ପିଟାଲରେ ୪ ହଜାର ୬୪୦ ବେଡ୍ ରହିଥିବା ବେଳେ ସରକାରୀ ହସ୍ପିଟାଲରେ ୪ ହଜାର ୩୬୮ଟି ବେଡ୍ ରହିଛି ।
ରାଜ୍ୟରେ ଏବେ କରୋନା ରୋଗୀ ୧୫୭୬ ଜଣ ଅଛନ୍ତି । ଘରୋଇ ହସ୍ପିଟାଲରେ ୭୫୩ ଜଣ ଥିବାବେଳେ ସରକାରୀ ହସ୍ପିଟାଲରେ ୮୨୩ ଜଣ ଅଛନ୍ତି । ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲରେ ୧୪୯୪ଟି ଆଇସିୟୁ ରହିଥିବାବେଳେ ଏଥିରେ ୩୨୦ ଜଣ ରୋଗୀ ଅଛନ୍ତି । ସରକାରୀ ହସ୍ପିଟାଲରେ ୫୨୪ ଆଇସିୟୁ ଥିବାବେଳେ ୧୦୪ ରୋଗୀ ଅଛନ୍ତି । ରାଜ୍ୟରେ ସମୁଦାୟ ଆଇସିୟୁ ବେଡ୍ ସଂଖ୍ୟା ୨୦୧୮ ହୋଇଥିବାବେଳେ ୪୨୪ ଜଣ ରୋଗୀ ଅଛନ୍ତି ।
ଘରୋଇ ହସ୍ପିଟାଲରେ ୬୦୩ଟି ଭେଣ୍ଟିଲେଟର ଥିବାବେଳେ ରୋଗୀ ମାତ୍ର ୪୧ ଜଣ ଅଛନ୍ତି ସେହିପରି ସରକାରୀ ହସ୍ପିଟାଲରେ ୧୭୯ଟି ଭେଣ୍ଟିଲେଟର ରହିଥିବାବେଳେ ୧୮ ଜଣ ରୋଗୀ ଅଛନ୍ତି । ଅର୍ଥାତ ସମୁଦାୟ ୭୮୨ ଭେଣ୍ଟିଲେଟରରୁ ମାତ୍ର ୫୯ରେ ରୋଗୀ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଆଜିଠୁ ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଆସନ୍ତାକାଲି ବ୍ଲୁ ହ୍ୱିଲ୍ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ଖୁବଶୀଘ୍ର ସ୍ପର୍ଶ ଓ କିମ୍ସ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।