ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ୧୪୪ ଧାରା ଜାରି କରିବା ପୂର୍ବରୁ ଅମାନିଆ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି କମିଶନରେଟ୍ ପୋଲିସ । ଆଜି ରାତି ୯ଟାରୁ ୧୪୪ ଧାରା ସହିତ ଆରମ୍ଭ ହେବାକୁ ଯାଉଛି ରାତ୍ରୀକାଳୀନ କର୍ଫ୍ୟୁ । ଏ ସମୟରେ ବିନା କାରଣରେ ସାଧାରଣ ଜନତା ଘରୁ ନ ବାହାରିବାକୁ କମିଶନରେଟ୍ ପୋଲିସ ଅନୁରୋଧ କରିଛି ।
ଏନେଇ ପ୍ରେସମିଟ ଡକାଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କଟକଣାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ଆମର ଦାୟିତ୍ୱ । ଜନସାଧାରଣ ନାଇଟ୍ କର୍ଫ୍ୟୁକୁ ମାନନ୍ତୁ, କୋଭିଡ୍ ନିୟମ ମାନନ୍ତୁ । ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।
ତେବେ ନିୟମକୁ ପାଳନ କରିବାକୁ ଟ୍ଵିନ୍ ସିଟିରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଭୁବନେଶ୍ୱରରେ ୨୫ଟି କୋଭିଡ୍ କଟକଣା ପଏଣ୍ଟ କରିଛି ପୋଲିସ । ଦାୟିତ୍ୱରେ ୬୦ରୁ ଅଧିକ ବରିଷ୍ଠ ଅଫିସର ରହିବେ ଏବଂ ୧୦ ପ୍ଲାଟୁନ ଫୋର୍ସ ସହ ୩୫ ପିସିଆର ଭ୍ୟାନ୍ ଗାଡ଼ି ନିୟୋଜିତ ହୋଇଛି । ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତି ଅନୁଷ୍ଠାନ, ସଂସ୍ଥାର ପରିଚୟ ପତ୍ର ଦେଖାଇ ଯାଇପାରିବେ ବୋଲି ପୋଲିସ୍ କମିଶନର ସୂଚନା ଦେଇଛନ୍ତି ।