ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । କରୋନା ଟିକାକୁ ଖୋଲା ବଜାରରେ ବିକ୍ରି କରିବା ପାଇଁ ଅନୁମତି ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଯେଉଁମାନେ ଏହି ଟିକା କିଣିବାରେ ସକ୍ଷମ ହେବେ ସେମାନେ ନିଜେ ଟିକା ନେଇପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି । ଏଥିସହିତ ଯେଉଁ ଟିକା ଗୁଡିକୁ ମଞ୍ଜୁରୀ ମିଳିଛି ତାର ଯୋଗାଣ ବୃଦ୍ଧି କରିବାକୁ ମଧ୍ୟ ନିବେଦନ କରିଛନ୍ତି ।
ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ସେ ଲେଖିଛନ୍ତି, ଏହି ଅଭୂତପୂର୍ବ କୋଭିଡ୍ ସଙ୍କଟ ମୁକାବିଲା ନିମନ୍ତେ କେନ୍ଦ୍ର ଓ ରାଜ୍ୟମାନେ ଏକ ଟିମ୍ ଭଳି କାମ କରିବା କଥାକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି। ସ୍ୱାସ୍ଥ୍ୟକର୍ମୀ, ପ୍ରତ୍ୟକ୍ଷ ସେବା ଯୋଗାଣକାରୀ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସମେତ ଏପର୍ଯ୍ୟନ୍ତ ଓଡ଼ିଶା ୪୭ ଲକ୍ଷ କୋଭିଡ୍ ଟିକା ଦେଇସାରିଛି। ଓଡ଼ିଶାରେ ଟିକାର ନଷ୍ଟ ହାର ମଧ୍ୟ ସମଗ୍ର ଦେଶ ତୁଳନାରେ ସର୍ବନିମ୍ନ । ଏହାଛଡ଼ା, ଦୈନିକ ୩ ଡୋଜ୍ ଟିକା ଦେବାକୁ ମଧ୍ୟ ଆମେ ସମର୍ଥ । ଦୈନିକ ୩ ଲକ୍ଷ ଟିକାକରଣ ଲାଗି ଆମକୁ ୨୫ ଲକ୍ଷ ଟିକା ଯୋଗାଇ ଦେବାକୁ ପୂର୍ବରୁ ଅନୁରୋଧ କରିଥିଲି। ରାଜ୍ୟର ସମସ୍ତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦେବାକୁ ଆମକୁ ୧୬୦ ଦିନ ଲାଗିବ । କେନ୍ଦ୍ର ସରକାର ଟିକା ଯୋଗାଣ ବୃଦ୍ଧି ପାଇଁ ଯୋଜନା କରୁଥିବେ ବୋଲି ମୁଁ ସୁନିଶ୍ଚିତ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।