ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ଼: ଓଡିଆ ନବବର୍ଷ ନୟାଗଡ ବାସିନ୍ଦାଙ୍କ ପାଇଁ ଏକ ଖୁସି ଖବର ଆଣିଛି । ପ୍ରଥମ ଥର ପାଇଁ ନୟାଗଡ଼ରୁ ରାଜଧାନୀ ଭୁବନେଶ୍ଵରକୁ ବିଦ୍ୟୁତ୍ ଚାଳିତ ଟ୍ରେନ୍ ‘ସେବା ଏକ୍ସପ୍ରେସ’ ଗଡ଼ିଛି । ମଙ୍ଗଳବାର ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ନୟାଗଡ଼କୁ ବିଦ୍ୟୁତ୍ ଚାଳିତ ଟ୍ରେନ ସେବା ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିଥିଲା । ଏହି ବିଦ୍ୟୁତ୍ ଚାଳିତ ଟ୍ରେନ୍ ୪ଜଣ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୪୦ରେ ଶୁଭ ଯାତ୍ରାରମ୍ଭ କରି ରାତି ୮ଟା ୪୦ରେ ନୟାଗଡ଼ ଷ୍ଟେସନରେ ପହଞ୍ଚିଥିଲା । ସମସ୍ତ ପ୍ରସ୍ତୁତି ପରେ ବୁଧବାର ଟ୍ରେନ୍ ୧୫ଜଣ ଯାତ୍ରୀଙ୍କୁ ଧରି ସକାଳ ସାଢ଼େ ୬ଟାରେ ନୟାଗଡ଼ ଷ୍ଟେସନ୍ ଛାଡ଼ିଥିଲା । ନୟାଗଡ଼ରୁ ଭୁବନେଶ୍ୱରକୁ ନିୟମିତ ବିଦ୍ୟୁତ୍ ଚାଳିତ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।
ସୂଚନା ଅନୁଯାୟୀ ଏହି ସେବା ଏକ୍ସପ୍ରେସ ନୟାଗଡ଼ରୁ ନିୟମିତ ଭୁବନେଶ୍ୱରକୁ ଯାତାୟାତ କରିବ । ସକାଳ ୬ଟା ୩୦ରେ ନୟାଗଡ଼ରୁ ଯାତ୍ରା ଆରମ୍ଭ କରି ଭୁବନେଶ୍ୱର ଷ୍ଟେସନରେ ପୂର୍ବାହ୍ନ ୯ଟାରେ ପହଞ୍ଚିବ । ଭୁବନେଶ୍ୱର ଷ୍ଟେସନରୁ ସନ୍ଧ୍ୟା ୬ଟା ୪୦ରେ ଯାତ୍ରା ଆରମ୍ଭ କରି ନୟାଗଡ଼ରେ ରାତି ୮ଟା ୪୦ରେ ପହଞ୍ଚିବ । ନୟାଗଡ଼ରୁ ଭୁବନେଶ୍ୱରକୁ ନିୟମିତ ବିଦ୍ୟୁତ୍ ଚାଳିତ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।