ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେବାକୁ ଯାଉଛନ୍ତି । ଆଜି ଅପରାହ୍ଣ ୫.୩୦ ସମୟରେ ମାଟ୍ରିକ୍ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ କି କରୋନା ସଂକ୍ରମଣକୁ ଦେଖି ଏହା ବାତିଲ କରାଯିବ ଭଳି ବିଭିନ୍ନ ଦ୍ଵନ୍ଦ୍ଵର ସମାଧାନ କରିବେ ମୁଖ୍ୟମନ୍ତ୍ରୀ । ଏ ନେଇ ସ୍କୁଲ୍ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ମେ ୩ ରୁ ଆରମ୍ଭ କରାଯିବ ବୋଲି ପୂର୍ବରୁ ନିଷ୍ପତି ନିଆଯାଇଥିଲା । ତେବେ ଗତକାଲି ସିବିଏସ୍ସି ଦଶମ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ମାଟ୍ରିକ୍ ପରୀକ୍ଷା ହେବ କି ନାହିଁ ସେ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଖୁବ୍ ଦ୍ଵନ୍ଦ୍ଵରେ ରହିଥିଲେ । ତେବେ ଏହି ଦ୍ଵନ୍ଦ୍ଵକୁ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ଆଜି ଏହି ସମ୍ଵନ୍ଧରେ ସୂଚନା ଦେବେ ।
ତେବେ ଗତକାଲି CBSE ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ୍ । ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା କରାଯାଇ ଏପରି ନିଷ୍ପତି ନିଆଯାଇଛି ବୋଲି ରମେଶ ପୋଖରୀଆଲ୍ ସୂଚନା ଦେଇଥିଲେ । ତେବେ CBSE ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରିଥିବା ବେଳେ CBSE ଦ୍ଵାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।