ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ହିନ୍ଦୁ ରୀତିନୀତି ଓ ପରମ୍ପରା ସବୁଠୁ ନିଆରା । ୧୨ ମାସରେ ତେର ପର୍ବ ହିନ୍ଦୁ ପରିବାରରେ ହିଁ ଦେଖିବାକୁ ମିଳିଥାଏ । ତେବେ ଆଜି ଓଡିଶା ଘରେ ଘରେ ପାଳନ କରାଯାଉଛି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡିଆ ପଞ୍ଜିକା ଗଣନା ଅନୁସାରେ ଏହା ବର୍ଷର ପ୍ରଥମ ଦିନ ହୋଇଥିବାରୁ ଆଜିର ଦିନକୁ ଓଡିଆ ନବବର୍ଷ ମଧ୍ୟ ପାଳନ କରାଯାଏ ।
ପଣା ସଂକ୍ରାନ୍ତିକୁ ମହାବୀର ହନୁମାନଙ୍କ ଜନ୍ମଦିନ ଭାବରେ ମଧ୍ୟ ପାଳନ କରାଯାଏ । ଶ୍ରୀରାମଙ୍କ ପରମ ଭକ୍ତ ଶ୍ରୀହନୁମାନ ଶକ୍ତି, ସାହସ ଓ ସାମର୍ଥ୍ୟର ପ୍ରତୀକ । ହନୁମାନଙ୍କ ଭକ୍ତ ଆଜି ଦିନରେ ଉପବାସ କରି ହନୁମାନଙ୍କୁ ଆରଧନା କରିଥାନ୍ତି । ଆଜିର ଦିନରେ ଘରେ ଘରେ ପଣା କରାଯାଏ । ପଣା ଓ ଛତୁଆ ଭୋଗ ଲାଗିବା ଆଜିର ବିଧି ଅଟେ । ଘର ଆଗରେ ତୁଳସୀ ଚଉରାରେ ଛାମୁଡିଆ ବାନ୍ଧି ଠେକି ବନ୍ଧା ଯାଇ ପୂଜା କରାଯାଏ ।
ଏହି ଦିନରୁ ନୂଆ ପାଞ୍ଜି ଆରମ୍ଭ କରାଯାଇଥାଏ । ସୂର୍ଯ୍ୟ ଏହି ଦିନ ବିଷୁବ ରେଖା ଉପରେ ଅବସ୍ଥାନ କରନ୍ତି ଏବଂ ଧିରେ ଧିରେ କର୍କଟ କ୍ରାନ୍ତି ଆଡକୁ ଢଳନ୍ତି । ପଂଜାବ ଓ ହରିଆଣାରେ ମଧ୍ୟ ବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ବୋଲି ଗଣନା କରାଯାଏ । ସେମାନେ ଏହି ଦିନକୁ ବୈଶାଖୀ ଭାବେ ପାଳନ କରନ୍ତି । ଅହମୀୟଙ୍କ ପାଇଁ ଏହା ବୋହାଗ ବିହୁ ଏବଂ ବଙ୍ଗୀୟଙ୍କ ପାଇଁ ପହେଲା ବୈଶାଖୀ । ବିହାରୀଙ୍କ ପାଇଁ ବୈଶାଖ, ତାମିଲଙ୍କ ପାଇଁ ପୁଥାଣ୍ଡୁ ଓ କେରଳୀ ପରମ୍ପରାରେ ଏହା ବିଶୁ ଭାବେ ପାଳିତ ହେଉଛି ।
କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁ ମନ୍ଦିର ଗୁଡିକୁ ଯିବାକୁ ଭକ୍ତ ମାନଙ୍କୁ ବାରଣ କରାଯାଇଛି ଓ ସର୍ବସାଧାରଣ ସ୍ଥାନରେ ପଣା ବଣ୍ଟନକୁ ମଧ୍ୟ ବନ୍ଦ କରାଯାଇଛି ।