ସନ୍ଷ୍ଚାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ପକ୍ଷରୁ ମଙ୍ଗଳ ଗ୍ରହର ଏକ ସୁନ୍ଦର ଫଟୋ ଜାରି କରାଯାଇଛି । ଯାହାକୁ ଦେଖି ଲୋକମାନଙ୍କୁ ଏହି ଗ୍ରହ ବିଷୟରେ ତଥ୍ୟ ହାସଲ କରିବାର ଉତ୍ସାହ ଆହୁରି ବଢିଯିବ । ଏହି ଫଟୋରେ ମଙ୍ଗଳ ଗ୍ରହର ଉଜ୍ଜ୍ୱଳ ନୀଳ ରଙ୍ଗର ବାଲୁକା ରାଶି ସ୍ତୂପ ପରି ଦେଖାଯାଉଛି । ଯାହାକୁ ବ୍ଲୁ ଡୁମ୍ସ କୁହାଯାଉଛି । ଏହି ସୁନ୍ଦର ଫଟୋକୁ ନାସା ର ମାର୍ସ ଓଡିଶି ଏର୍ବିଟର୍ ର ଇମ୍ଫ୍ରାରେଡ୍ କ୍ୟାମେରାରେ ଉତ୍ତୋଳନ କରାଯାଇଛି ।
‘ନାସା’ ସେୟାର୍ କରିଥିବା ‘ଲୋହିତ ଗ୍ରହରେ ନୀଳ ବାଲୁକା ସ୍ତୂପମାଳା’ ଥିବା ଏହି ଫଟୋ ସବୁ ଡିସେମ୍ବର ୨୦୦୨ରୁ ନଭେମ୍ବର ୨୦୦୪ ମଧ୍ୟରେ ଉତ୍ତୋଳନ କରାଯାଇଛି । ଏହି ଫଟୋଚିତ୍ରରେ ଦୁଇ ପ୍ରକାରର ସ୍ତୂପ ଦେଖାଯାଉଛି । ସାମାନ୍ୟ ହଳଦିଆ ଦିଶୁଥିବା ଗୋଟିଏ ସେଟ୍ ଫଟୋଚିତ୍ର ଅପେକ୍ଷାକୃତ ଉଷ୍ମ ଜଳବାୟୁ ଅଞ୍ଚଳର ହୋଇଥିବା ବେଳେ ସାମାନ୍ୟ ନୀଳ ଦେଖାଯାଉଥିବା ଫଟୋଚିତ୍ର ଅପେକ୍ଷାକୃତ ଶୀତଳ ଜଳବାୟୁ ଅଞ୍ଚଳର ବୋଲି ଜଣାପଡୁଥିବା ‘ନାସା’ କହିଛି । ଖରା ତେଜ ଯୋଗୁଁ ବାଲୁକାରାଶି ସ୍ୱର୍ଣ୍ଣିମ ରଙ୍ଗ ଦିଶୁଛି । ଫଟୋ ଉତ୍ତୋଳିତ ହୋଇଥିବା ମଙ୍ଗଳ ପୃଷ୍ଠର ଉକ୍ତ ଅଞ୍ଚଳର ଓସାର ପ୍ରାୟ ୩୦ କିଲୋମିଟର୍ ହେବ ।
‘ଓଡିସି’ର ୨୦ତମ ବାର୍ଷିକୀ ଅବସରରେ ଏହି ଫଟୋ ସବୁ ରିଲିଜ୍ କରାଯାଇଛି । ‘ଓଡିସି’ ହେଉଛି ମଙ୍ଗଳ ମହାକାଶଯାନ ଇତିହାସରେ ଏଯାବତ୍ ସର୍ବାଧିକ କାଳ କାର୍ଯ୍ୟ କରିଥିବା ମହାକାଶଯାନ ଅଟେ । ୭ ଏପ୍ରିଲ, ୨୦୦୧ରେ ଫ୍ଲୋରିଡାରେ କେନାବେରଲ୍ ଏୟାର ଫୋର୍ସ ଷ୍ଟେସନ୍ ରୁ ଓଡିଶିକୁ ଲଞ୍ଚ କରାଯାଇଥିଲା ।