ସନ୍ଷ୍ଟାର ଟିଭି ବ୍ୟୁରୋ
ଓସ୍ଲୋ: ସାରା ବିଶ୍ଵରେ କରୋନା ନିଜର କାୟା ବିସ୍ତାର କରିଚାଲିଛି ।ଟିକିଏ ଅସଚେତନତା ପାଇଁ କରୋନା ଭୟଙ୍କର ରୂପ ନେଉଛି । ତେବେ ନର୍ଓ୍ଵେ ପ୍ରଧାନମନ୍ତ୍ରୀଙ୍କୁ ଏହି କରୋନା ନିୟମ ଉଲଂଘନ କରିବା ବେଶ୍ ଭାରି ପଡିଛି । ଏହି ନିୟମ ଉଲଂଘନ କରିଥିବା ଯୋଗୁ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓ ପ୍ରଧାନମନ୍ତ୍ରୀଙ୍କୁ ଜରିମାନା ଭରିବାକୁ ପଡିଛି ।
ଫେବ୍ରୁଆରୀ ଶେଷ ସପ୍ତାହରେ ସୋଲବର୍ଗ ତାଙ୍କର ୬୦ ତମ ଜନ୍ମଦିନ ପାଳନ କରିଥିଲେ । ଏକ ମାଉଣ୍ଟେନ ରିସୋର୍ଟରେ ଆୟୋଜିତ ଜନ୍ମଦିନ ଉତ୍ସବରେ ପରିବାର ବର୍ଗ ଓ ବନ୍ଧୁମାନେ ସାମିଲ ହୋଇଥିଲେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦେଶରେ ୧୦ରୁ ଅଧିକ ଲୋକଙ୍କୁ ଏକାଠି ହେବା ଉପରେ କଟକଣା ଲଗାଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ତାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ଏହି ଖବର ପ୍ରସାରିତ ହେବା ପରେ ଗତମାସରେ ସେ କ୍ଷମା ମାଗିଥିଲେ । ତଥାପି ପୁଲିସ ତାଙ୍କୁ ୨,୩୫୨ ଡଲାର ଜରିମାନା କରିଛି । ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ପୋଲିସ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ଆଇନ ଉଲ୍ଲଂଘନ କରିଥିବାରୁ ତାଙ୍କ ନାମରେ ଚାଲାଣ କଟାଯାଇଛି ବୋଲି ସେ କହିଛନ୍ତି ।