ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କରୋନା ସଂପର୍କରେ ସଚେତନ କରିଛନ୍ତି । ସେ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଯେ, ବର୍ଷେରୁ ଅଧିକ ସମୟ ହେଲା ସାରା ବିଶ୍ୱ ଏକ ଅସାଧାରଣ ପରିସ୍ଥିତି ଦେଇ ଗତି କରୁଛି । ମାନବ ଇତିହାସରେ ଏଭଳି ସଂକଟ ନିକଟ ଅତୀତରେ କେବେ ବି ଆସିନଥିଲା । କୋଭିଡ୍ ସଂକ୍ରମଣର ପ୍ରଥମ ଲହର ସମୟରେ ଜନସାଧାରଣ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଏବଂ କୋଭିଡ୍ ଯୋଦ୍ଧା ଅସୀମ ତ୍ୟାଗ ଓ ସେବା ଯୋଗୁଁ ଆମେ ଅନେକ ଜୀବନ ରକ୍ଷା କରିପାରିଥିଲେ । ଆମ ରାଜ୍ୟରେ ମୃତ୍ୟୁସଂଖ୍ୟା ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍ ଥିଲା ।
କୋଭିଡର ପ୍ରଥମ ଲହର ସମୟରେ ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା । ବାରମ୍ବାର ଲକଡାଉନ୍ ଓ ସଟଡାଉନ୍ କରିବାକୁ ପଡ଼ିଥିଲା । ଲକଡାଉନରେ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବେପାର ବଣିଜ କ୍ଷତିରେ ଚାଲିଥିଲା । ଗରିବ ଲୋକଙ୍କ ରୋଜଗାର ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଥିଲା । ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଏହା ବହୁତ ଶୀଘ୍ର ବ୍ୟାପୁଛି ।
ଦେଶର ଅନେକ ରାଜ୍ୟରେ ଲକଡାଉନ୍, ସଟଡାଉନ୍ ଆରମ୍ଭ ହେଲାଣି । ଆମେ କୋଭିଡ୍ ନିୟମ ମାନି ମାସ୍କ ଠିକ୍ ଭାବରେ ପିନ୍ଧିଲେ ଆମେ ବିନା ଲକଡାଉନରେ କରୋନା ସଂକ୍ରମଣକୁ ରୋକି ପାରିବା । ଏଥିପାଇଁ ଆଜିଠୁ ୧୪ ଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ମିଶି ମାସ୍କ ଅଭିଯାନ ଆରମ୍ଭ କରିବା । ୧୪ ଦିନ ଲାଗି ଆମେ କୌଣସି ଜିନିଷକୁ ଆରମ୍ଭ କଲେ ତାହା ଅଭ୍ୟାସରେ ପରିଣତ ହୋଇଯିବ । ଆମେ ସମସ୍ତେ ଆଜିଠାରୁ ସଂକଳ୍ପ ନେଇ ଠିକ୍ ଭାବେର ମାସ୍କ ପିନ୍ଧିବା । ବେକରେ ଝୁଲାଇ ନୁହେଁ ପୂରା ମୁହଁ ଓ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାକୁ ଏକ ଅଭ୍ୟାସ କରିବା ।
ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ । ତେବେ ଯାଇ ଆମେ କରୋନାଠାରୁ ଜିତି ପାରିବା । ମାଆମାନଙ୍କୁ ମୋର ବିଶେଷ ଅନୁରୋଧ ଯିଏ ବି ଘରୁ ବାହାରକୁ ଗଲେ ଆପଣ ସେମାନଙ୍କୁ ମାସ୍କ ପିନ୍ଧିବା ଉପରେ ଧ୍ୟାନ ଦିଅନ୍ତୁ । ମାଆମାନେ ସତର୍କ ହେଲେ ଘର ଭିତରକୁ କରୋନା ଆସିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତି, ମାଆମାନେ ଘରେ ଜଗନ୍ତୁ । ମାସ୍କ ଠିକ୍ ଭାବରେ ନପିନ୍ଧି ବାହାରକୁ ଆସୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ଲାଗି ପୋଲିସ ଓ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ନପିନ୍ଧିଲେ ୨ ଗୁଣ ଜରିମାନା ଆଦାୟ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । କିଛି ଲୋକଙ୍କ ପାଇଁ ଲକ୍ଡାଉନ ପରିସ୍ଥିତି ହେବ । ଲୋକମାନେ ଅସୁବିଧାରେ ପଡିବେ ।
ଟିକା ନ ନେଇଥିବା ଓ ନେଇଥିବା ଲୋକ ଉଭୟ ମାସ୍କ ପିନ୍ଧନ୍ତୁ ।ଏବେ କରୋନାର ଦ୍ୱିତୀୟ ଲହର ଦେଶରେ ଚାଲିଥିବା ବେଳେ ଅନ୍ୟ କେତେକ ଦେଶର ତୃତୀୟ ଲହର ଆସିଛି । କରୋନାର ଅନେକ ଲହର ମୁକାବିଲା କରିବାକୁ ହେବ । ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଲେ କରୋନା ମୁକାବିଲା କରିହେବ । ମାସ୍କକୁ ଜୀବନର ସାଥି କରିପାରିଲେ ଆମେ କରୋନାକୁ ହରାଇବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।