ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପ ମାନ ହାତକୁ ନେଇଥାନ୍ତି ।ତେବେ ଆଜି ମଧ୍ୟ ମିଶନ ଶକ୍ତି ସଂଘମାନଙ୍କୁ ଆଉ ଏକ ଦାୟିତ୍ଵ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଯିବ । ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଭିନ୍ନ ଅବ୍ୟବହୃତ ସରକାରୀ ସମ୍ପତ୍ତି ଯେପରିକି ସରକାରୀ କୋଠା, ଦୋକାନ ଘର, ଗଡ଼ିଆ ଓ ପୋଖରୀ ଇତ୍ୟାଦି ଗୁଡ଼ିକୁ ସମ୍ପୃକ୍ତ ଜିଲ୍ଲା ବ୍ଳକ ଓ ପଞ୍ଚାୟତରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଗଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଏହାକୁ ସେ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଲଗାଇ ପାରିବେ । ଯଦ୍ଵାରା ସାଧାରଣ ଲୋକମାନେ ଉପକାର ପାଇବେ । ମିଶନ ଶକ୍ତିର ମହିଳାମାନେ ତାକୁ ଆଥିର୍କ କାର୍ଯ୍ୟରେ ଲଗାଇ ପାରିବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା ମାନଙ୍କ ସଶକ୍ତିକରଣ ସବୁବେଳେ ତାଙ୍କ ସରକାରର ପ୍ରାଥମିକତା ରହିଆସିଛି । ମିଶନ ଶକ୍ତି ଆଜି ପରିବର୍ତ୍ତନର କର୍ଣ୍ଣଧାର ହୋଇଛି । ମାଆ ମାନଙ୍କର ଏହି ନୀରବ ଆନ୍ଦୋଳନକୁ ଆହୁରି ମଜଭୁତ୍ କରିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।