ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ୧୪ତମ ସଂସ୍କରଣ । ଏହି ମ୍ୟାଚ୍ ଦେଖିବାକୁ ଆବାଳବୃଦ୍ଧବନିତା ସମସ୍ତେ ପାଗଳ । କିନ୍ତୁ ଏହାର ଇତିହାସ ବିଷୟରେ ବେଶୀ ଲୋକଙ୍କୁ ଜଣା ନାହିଁ । ତେବେ ଆଜି ଆଇପିଏଲ୍ର ଇତିହାସ ବିଷୟରେ ଜାଣିବା । ଭାରତର କ୍ରୀଡା ଜଗତରେ ଅନ୍ୟ ଖେଳ ଅପେକ୍ଷା କ୍ରିକେଟ୍ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି । ଆନ୍ତର୍ଜାତୀୟ ସ୍ତରରେ ଖେଳାଯାଉଥିବା ମ୍ୟାଚରେ ଯେତିକି ଦର୍ଶକ ଉପସ୍ଥିତ ଥାନ୍ତି ତାହାଠୁ ଢେର୍ ଅଧିକ ଦର୍ଶକ ଭାରତରେ ଖେଳାଯାଉଥିବା ସାଧାରଣ କ୍ରିକେଟ୍ ମ୍ୟାଚରେ ଦେଖିବାକୁ ମିଳନ୍ତି । ଆଜିର ସମୟରେ କ୍ରିକେଟ୍ ମ୍ୟାଚ୍ ଭିତରେ ସବୁଠୁ ବେଶୀ ଲୋକ ଆଇପିଏଲ୍ ମ୍ୟାଚ୍ ଦେଖିଥାନ୍ତି । ଆସନ୍ତୁ ଜାଣିବା ଏହା କିପରି ଆରମ୍ଭ ହେଲା ।
ଆଇପିଏଲ୍ ରାଷ୍ଟ୍ରୀୟ ସ୍ତରୀୟ ଖେଳ ଅଟେ ଓ ଏହି ଖେଳ ପ୍ରତିବର୍ଷ ଆୟୋଜନ କରାଯାଏ । ଏହି ମ୍ୟାଚ୍ରେ କେବଳ ଭାରତୀୟ ଖେଳାଳୀ ନୁହଁନ୍ତି ବିଦେଶୀ ଖେଳାଳୀ ମଧ୍ୟ ଭାଗ ନେଇଥାନ୍ତି । ଏହି ମ୍ୟାଚ ଆୟୋଜନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ଓ ଖେଳାଳୀମାନେ ମଧ୍ୟ କୋଟି କୋଟି ଟଙ୍କା ପାଇଥାନ୍ତି । ଆୟୋଜକ ମଧ୍ୟ ବିଭିନ୍ନ ଆଡ୍ ଓ ଅନ୍ୟାନ୍ୟ ମାଧ୍ୟମରେ କୋଟି କୋଟି ଟଙ୍କା ପାଇଥାନ୍ତି ।
ବର୍ତ୍ତମାନ ଆଇପିଏଲ୍ ଦେଶରେ ଆୟୋଜିତ ହୋଇଥିବା ସବୁଠୁ ଉଚ୍ଚସ୍ତରୀୟ ଓ ଲୋକପ୍ରିୟ ଖେଳ ଅଟେ । ଏହା ଏକ ଘରୋଇ ମ୍ୟାଚ୍ ଅଟେ ଯେଉଁଥିରେ ଦେଶର ବିଭିନ୍ନ ଅଞ୍ଚଳର ଟିମ୍ ନିଜ ନିଜ ମଧ୍ୟରେ ଖେଳିଥାନ୍ତି ଓ ଶେଷରେ ବିଜୟୀ ଟିମ୍ ଟ୍ରଫି ନେଇଥାଏ । ବର୍ତ୍ତମାନ ଏହି ଆଇପିଏଲ୍ର ଆୟୋଜନ BCCI ଦ୍ଵାରା କରାଯାଉଛି ।
ଏହି ଆଇପିଏଲ୍ର ଆରମ୍ଭ ପ୍ରଥମେ ଜି ଏଣ୍ଟରଟେଣ୍ଟମେଣ୍ଟ୍ ଏଣ୍ଟରପ୍ରାଇଜେସ୍ ଦ୍ଵାରା କରାଯାଇଥିବା ଫଣ୍ଡିଙ୍ଗ ଦ୍ଵାରା ୨୦୦୭ରେ ICL ଅର୍ଥାତ୍ ଇଣ୍ଡିଆନ୍ କ୍ରିକେଟ୍ ଲିଗ୍ରୁ ହୋଇଥିଲା । ଏହି ଲିଗ୍ ସେତେବେଳେ BCCI କିମ୍ଵା ICC ଦ୍ଵାରା ସ୍ଵୀକୃତି ପାଇନଥିଲା । କ୍ରିକେଟର୍ ମାନଙ୍କୁ ଡକାଯାଇ ସେମାନଙ୍କୁ ଖେଳ ପାଇଁ ଆମନ୍ତ୍ରିତ କରାଯାଉଥିଲା ଓ ପୁରଷ୍କାର ରାଶି ପ୍ରଦାନ କରାଯାଉଥିଲା । କିନ୍ତୁ ଏହା ଦ୍ଵାରା ବିସିସିଆଇ ଖୁସି ନଥିଲା ଏବଂ ଏହି ସମୟରେ ବିସିସିଆଇ ନିଜର ଏକ ଟିମ୍ ବନାଇବା ପାଇଁ ନିଷ୍ପତି ନେଇଥିଲା । ଖେଳାଳୀମାନଙ୍କୁ ICL କୁ ଯିବାକୁ ରୋକିବାକୁ ଯାଇ ନିଜର ଟୁର୍ଣ୍ଣାମେଣ୍ଟରେ ଖେଳାଳୀମାନଙ୍କ ପାଇଁ ପୁରସ୍କାର ରାଶି ମଧ୍ୟ ଅଧିକ କରିଦେଲା । ଏହିଠାରୁ ହିଁ IPLର ଆରମ୍ଭ ହେଲା ।
୧୩ ସେପ୍ଟେମ୍ଵର ୨୦୦୭ ମସିହାରେ ପ୍ରଥମ ଥର ପାଇଁ ବିସିସିଆଇ ଟ୍ଵେଣ୍ଟି ଟ୍ଵେଣ୍ଟି ପ୍ରତିଯୋଗିତାର ଘୋଷଣା କରିଥିଲା । ଯାହାର ନାମ Indian Premier League ବା IPL ଦିଆଗଲା । ଦିଲ୍ଲୀର ଏକ ଉତ୍ତ ସ୍ତରୀୟ ସମାରୋହରେ ଏହାର ନାମ ଘୋଷଣା କରାଗଲା ଏବଂ କୁହାଗଲା ଯେ ୨୦୦୮ ଏପ୍ରିଲ ମାସରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ । ସେହି ସମୟରେ ବିସିସିଆଇର ଭାଇସ୍ ପ୍ରେସିଡେଣ୍ଟ ଲଳିତ ମୋଦି ଥିଲେ ।ଯାହାକୁ ଆଇପିଏଲ୍ର ମାଷ୍ଟରମାଇଣ୍ଡ କୁହାଯାଏ । ଆଇପିଏଲ୍ ପ୍ରଥମ ମ୍ୟାଚ୍ ୨୦୦୮ ମସିହା ଏପ୍ରିଲ ମାସ ରେ ଅନୁଷ୍ଠିତ ହୋଇଥିଲା ଓ ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଟିମ୍ ସାମିଲ ହୋଇଥିଲେ । ଫାଇନାଲ୍ ମ୍ୟାଚ୍ ରାଜସ୍ଥାନ ରୋୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯାଇଥିଲା ଓ ରାଜସ୍ଥାନ ରୋୟାଲ୍ସ ବିଜୟ ହୋଇଥିଲା ।