ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ରାଜ୍ୟରେ କରୋନା ପଜିଟିଭ୍ ହାର ଦିନକୁ ଦିନ ବଢିବାରେ ଲାଗିଛି । ତେବେ ପୁରୀ ଜିଲ୍ଲାରେ ମଧ୍ୟ ଏହି କରୋନା ମହାମାରୀ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଶହେ ଟପିଛି । ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ନୂତନ ଗାଇଡ୍ଲାଇନ୍ ଜାରି କରିଛନ୍ତି ।
ପୁରୀକୁ ବୁଲିବା ପାଇଁ ଆସୁଥିବା ୫ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ, କେରଳ ଓ ଗୁଜୁରାଟ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । ବିନା ନେଗେଟିଭ୍ ରିପୋର୍ଟରେ ପର୍ଯ୍ୟଟକମାନଙ୍କୁ ୭ ଦିନ ହୋମ୍ ଆଇସୋଲେସନ୍ରେ ରଖାଯିବ ବୋଲି ଚେତାବନୀ ଦିଆଯାଇଛି । ଏଥି ସହିତ ହୋଟେଲରେ ରହଣୀ ପାଇଁ କରୋନା RT-PCR ନେଗେଟିଭି ରିପୋର୍ଟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି । ଏଥି ସହିତ ଯଦି କରୋନା ଟିକା ନେଇଥିବେ ତେବେ ପୁରୀ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିବ । କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ହୋଟେଲରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।