ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କୋଭି଼ଡ୍-୧୯ କଟକଣା ମଧ୍ୟରେ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ପାଳନ କରାଯାଉଛି । ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ତାଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଓ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଉପସ୍ଥିତ ଅଛନ୍ତି ।
ତେବେ ଉପରାଷ୍ଟ୍ରପତି ଓଡିଆ ଭାଷାରେ ନିଜ ଅଭିଭାଷଣ ରଖିଛନ୍ତି । ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ସେ ନିଜ ଅଭିଭାଷଣରେ ଆଦିବାସୀ ଜନଜାତିଙ୍କ କଥା ରଖିଛନ୍ତି । ସେ କହିଛନ୍ତି ସେମାନଙ୍କ ସଂସ୍କୃତି ହିଁ ସେମାନଙ୍କୁ ମହାମାରୀଠାରୁ ଦୂରରେ ରଖିଛି । ସେମାନଙ୍କ ସର୍ବାଙ୍ଗୀନ ଉନ୍ନତୀ ହେବା ଆବଶ୍ୟକ ବୋଲି କହିଥିଲେ ଉପରାଷ୍ଟ୍ରପତି । ସେ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଚରିତ୍ର ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ଵପୂର୍ଣ୍ଣ । କଠିନ ପରିଶ୍ରମ, ସମର୍ପଣ ଓ ନିଷ୍ଠାପରତା ରଖିବା ଉଚିତ୍ ।
ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ ଜଣ ବ୍ୟକ୍ତିତ୍ବଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶଚନ୍ଦ୍ର ମୁର୍ମ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି ।
କରୋନା ଗାଇଡ୍ଲାଇନ୍କୁ ମାନି ଏହି ସମାବର୍ତ୍ତନ ଉତ୍ସବ ପାଳନ କରାଯାଉଛି । କନ୍ଭୋକେସନ ହଲରେ ୫୦୦ ଜଣ ବସିବା ପାଇଁ ଅନୁମତି ଦିଆଯାଇଛି । ସାମାଜିକ ଦୂରତା ଓ ମାକ୍ସ ପରିଧାନ କଡାକଡି କରାଯିବା ସହିତ ଏବଂ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ କୋଭିଡ୍ ଟେଷ୍ଟ କରାଯାଇଛି ।