ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଏପ୍ରିଲ ୫ ତାରିଖରୁ ହାଇକୋର୍ଟରେ ଭିଡିଓ କନଫରେନ୍ସିଂ ରେ ମାମଲାର ଶୁଣାଣି କରାଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି । ଏନେଇ ଗତକାଲି ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଏଥିରେ ସ୍ପଷ୍ଟ କରାଯାଇଛି ଯେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରେ କୋଭିଡ-୧୯ ମାମଲା ସଂଖ୍ୟା ବୃଦ୍ଧି ପାଇବା ପ୍ରସଂଗକୁ ବିଚାରକୁ ନେଇ ଏପ୍ରିଲ ୫ ତାରିଖରୁ ହାଇକୋର୍ଟରେ କେବଳ ଭର୍ଚୁଆଲ୍ ମୋଡ୍ କିମ୍ଵା ଭିଡିଓ କନଫରେନ୍ସିଂ ମାମଧ୍ୟରେ ମାମଲାର ଶୁଣାଣି କରାଯିବ । ହାଇକୋର୍ଟ ପରିସରକୁ କୋର୍ଟର ଅଧିକାରୀ ଓ କର୍ମଚାରୀମାନେ କେବଳ ପ୍ରବେଶ କରି ପାରିବେ । ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ରହିବ ।
ତେବେ କୌଣସି ଡକ୍ୟୁମେଣ୍ଟ କିମ୍ଵା ନୂଆ ମାମଲା ଦାଖଲ କରିବା ପାଇଁ ହେଲେ ଡ୍ରପ୍ ବକ୍ସ ବା ଇ-ମେଲ ବା ଇ-ଫାଇଲିଂ ପୋର୍ଟାଲର ବ୍ୟବହାର କରାଯିବ । ବିଭିନ୍ନ ମାମଲାରେ ହାଇକୋର୍ଟଙ୍କ ରାୟ ଓ ନିର୍ଦ୍ଦେଶ କୋର୍ଟର ୱେବସାଇଟରେ ଉପଲବ୍ଧ ହେବ । ସାର୍ଟିଫାଏଡ କପି ବଦଳରେ ୱେବସାଇଟରେ ଉପଲବ୍ଧ ରାୟ ଓ ନିର୍ଦ୍ଦେଶର କପି ୨୦୨୦, ମାର୍ଚ୍ଚ ୨୫ର ବିଜ୍ଞପ୍ତି ଅନୁସାରେ ବ୍ୟବହାର କରିହେବ ।ପ୍ରଥମ ଥର କେବଳ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବ କିନ୍ତୁ ଏହା ପରେ ଭର୍ଚୁଆଲ୍ ମାଧ୍ୟମରେ କରାଯିବ ।
ସେହିଭଳି ଭାବେ ନିମ୍ନ ଅଦାଲତ (ସବ୍ଅର୍ଡିନେଟ୍ କୋର୍ଟ) ଓ ଟ୍ରିବୁନାଲ ପାଇଁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏପ୍ରିଲ ୫ ତାରିଖରୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିବା ନିୟମାବଳୀ ନିମ୍ନ ଅଦାଲତ ଓ ଟ୍ରିବୁନାଲ ଗୁଡିକ ପାଳନ କରିବେ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।