ସନ୍ଷ୍ଟାର ଟିଭି ବ୍ୟୁରୋ
ଦୁବାଇ: ଏକ ଦିବସୀୟ ଇନିଂସ୍କୁ ନେଇ ଆଇସିସି ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଦିନିକିଆ ବ୍ୟାଟ୍ସମ୍ୟାନ୍ଙ୍କ ଆଇସିସି ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ପୂର୍ବରୁ ମଧ୍ୟ ଏହି ସ୍ଥାନରେ ରହିଥିଲେ । ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଦିନିକିଆରେ ଯଥାକ୍ରମେ ୫୬ ଓ ୬୬ ରନ୍ କରିଥିବା କୋହଲି ଆଇସିସି ମାନ୍ୟତାରେ ୮୭୦ ପଏଣ୍ଟ ନିଜ ନାମରେ ରଖିଛନ୍ତି। ତେବେ କୋହଲିଙ୍କ ପଛକୁ ଏହି ତାଲିକାରେ ପାକିସ୍ତାନର ବାବର ଆଜମ୍ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଭାରତୀୟ ଦଳର ବ୍ୟାଟ୍ସ୍ମ୍ୟାନ ରୋହିତ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ୪୫ ଓ ୬୪ ରନ୍ କରିଥିବା ଅଲ୍ରାଉଣ୍ଡର ହାର୍ଦିକ୍ ପାଣ୍ଡ୍ୟା କ୍ୟାରିୟର ଶ୍ରେଷ୍ଠ ୪୨ତମ ସ୍ଥାନ ହାସଲ କରିଛନ୍ତି ।
ଦିନିକିଆ ବୋଲରଙ୍କ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ଗୋଟିଏ ସ୍ଥାନ ଖସିଯାଇଛନ୍ତି। ସେ ତୃତୀୟରୁ ଖସି ଚତୁର୍ଥରେ ପହଞ୍ଚିଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୬୯୦ ରହିଛି । ପେସ୍ ବୋଲର ଭୁବନେଶ୍ବର କୁମାର ଏକାଦଶରେ ପହଞ୍ଚିଛନ୍ତି ।
କିନ୍ତୁ ଟି-୨୦ ମାନ୍ୟତାରେ ଉଭୟ ରାହୁଲ ଓ କୋହଲି ନିମ୍ନଗାମୀ ହୋଇଛନ୍ତି । ଉଭୟେ ଗୋଟିଏ ଲେଖାଏଁ ସ୍ଥାନ ହରାଇ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି । ତେବେ ବୋଲର ଏବଂ ଅଲ୍ରାଉଣ୍ଡରଙ୍କ ମାନ୍ୟତା ତାଲିକାରେ କୌଣସି ଭାରତୀୟ ଶୀର୍ଷ-୧୦ରେ ସ୍ଥାନ ପାଇନାହାନ୍ତି ।