ସନ୍ଷ୍ଟାର ଟିଭି ବ୍ୟୁରୋ
ବୁର୍ଲା: ରାଗିଂ ରୋକିବା ପାଇଁ ଯେତେ ଆଇନ୍ କାନୁନ କରାଯାଉଥିଲେ ମଧ୍ୟ ବଡ ବଡ ଶିକ୍ଷାନୁଷ୍ଠାନଗୁଡିକର ଛାତ୍ରଛାତ୍ରୀମାନଙ୍କ ଉପରେ ଏହାର କିଛି ପ୍ରଭାବ ପଡୁନାହିଁ । କିଛି ଦିନ ତଳେ ବୁର୍ଲାର ଭିମ୍ସାରରୁ ସାଂଘାତିକ ଅଭିଯୋଗ ଆସିଥିଲା । ତେବେ ଏବେ ବୁର୍ଲାର ଭିସୁଟ୍ରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ କରିଛନ୍ତି ଦ୍ଵିତୀୟ ବର୍ଷର ଛାତ୍ର ।
ଅଭିଯୋଗ ଅନୁସାରେ, ଭିସୁଟ୍ର ଚତୁର୍ଥ ବର୍ଷ ବିଟେକ୍ର କିଛି ଛାତ୍ର ବଶିଷ୍ଠ ଛାତ୍ରାବାସରେ ରହୁଥିବା ଦ୍ୱିତୀୟ ବର୍ଷର କିଛି ଛାତ୍ରଙ୍କୁ ଲଗାତାର କିଛି ଦିନ ହେବ ର୍ୟାଗିଂ କରିଆସୁଛନ୍ତି । ଗତ ୨୮ ତାରିଖ ଭୋର୍ ୪ଟାରେ ଚତୁର୍ଥ ବର୍ଷର କିଛି ଛାତ୍ର ନିଶାସକ୍ତ ଅବସ୍ଥାରେ ଦ୍ୱିତୀୟ ବର୍ଷର ଛାତ୍ରମାନେ ରହୁଥିବା ରୁମ୍ର କବାଟ ବାଡ଼େଇବା ସହ ଭିତରକୁ ପଶିଥିଲେ । ଭିତରେ ଥିବା ୪ ଜଣ ଛାତ୍ରଙ୍କୁ ଚତୁର୍ଥ ବର୍ଷର କିଛି ଛାତ୍ର ରହୁଥିବା ପାଖ ରୁମ୍କୁ ନେଇ ଯାଇଥିଲେ । ସେଠାରେ କନିଷ୍ଠ ଛାତ୍ରଙ୍କୁ ଆଣ୍ଠୁମାଡ଼ି ବସିବା ସହ ପରିଚୟ ଦେବାକୁ ନିର୍ଦେଶ ଦିଆଯାଇଥିଲା । ଏହି ସମୟରେ ଚତୁର୍ଥ ବର୍ଷର ଛାତ୍ରମାନେ ଗଞ୍ଜେଇ ମାଡ଼ କରିବା ପରେ ଧୂଆଁକୁ ଏହି ଛାତ୍ରମାନଙ୍କ ମୁହଁକୁ ଛାଡ଼ିଥିଲେ । ଏହାସହିତ ସେମାନଙ୍କ ପେଟ ଓ ପିଚାକୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ପରେ ସେମାନଙ୍କୁ କିଛି ଅସଭ୍ୟ ଓ ଅଶ୍ଳୀଳ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ କୁହାଯାଇଥିଲା । ଯଦ୍ୱାରା ଉକ୍ତ ଛାତ୍ରମାନେ ମାନସିକସ୍ତରରେ ଆଘାତ ପାଇଥିବା ଅଭିଯୋଗପତ୍ରରେ ଉଲ୍ଳେଖ କରିଛନ୍ତି । ଘଟଣା ନିତିଦିନ ଚାଲିଆସୁଥିବା ବେଳେ ଏସମ୍ପର୍କରେ ଅଭିଯୋଗ କଲେ ପରିଣାମ ଭଲ ହେବନି ବୋଲି ଧମକ ମଧ୍ୟ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି ।
ତେବେ ଏହି ଅଭିଯୋଗ ଉପରେ ବିଶ୍ଵବିଦ୍ୟାଳୟ କର୍ତ୍ତୁପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି । ଚତୁର୍ଥ ବର୍ଷର ଛାତ୍ରମାନଙ୍କୁ ପଚରାଉଚରା ମଧ୍ୟ କରାଯାଇଛି । ସୂଚନାଯୋଗ୍ୟ, କିଛି ଦିନ ତଳେ ଭିମ୍ସାରରେ ମଧ୍ୟ ଚତୁର୍ଥ ବର୍ଷର ଛାତ୍ର ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା ।