ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆସନ୍ତା କାଲି ଅର୍ଥାତ୍ ଏପ୍ରିଲ ୧ରୁ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କ, ଆୟକର ବିଭାଗ, ଓଟିଟି ପ୍ଲାଟ୍ଫର୍ମ, ଅନ୍ଲାଇନ୍ ଟ୍ରାନ୍ଞ୍ଜାକ୍ସନ୍ ଆଦି ଅନେକ ଗୁଡିଏ କ୍ଷେତ୍ରରେ ସରକାର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଯାହା ଆପଣଙ୍କ ଜାଣିବା ନିହାତି ଜରୁରୀ ।
ଯଦି ଅଟୋ ଡେବିଟ୍ ବା କୌଣସି ଅନ୍ଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଆକାଉଣ୍ଟରୁ ପଇସା କଟୁଛି, ତାହେଲେ ଆସନ୍ତାକାଲିଠୁ ଏ ସମ୍ପର୍କିତ ନିୟମରେ ପରିବର୍ତ୍ତନ ହେବ । ଏଣିକି ଏସବୁ ନେଣଦେଣ ପାଇଁ ଗ୍ରାହକଙ୍କ ପାଖକୁ ମେସେଜ ଆସିବ । ଆଉ ମେସେଜକୁ OK କଲେ ହିଁ ଟ୍ରାଞ୍ଜାକ୍ସନ ହୋଇପାରିବ । ଓଟିଟି ପ୍ଲାଟ୍ଫର୍ମର ସବ୍ସ୍କ୍ରିପସନ୍ ହେଉ କିମ୍ବା ମୋବାଇଲ ଫୋନ୍ ଜରିଆରେ କରାଯାଉଥିବା ମାସିକ ରିଚାର୍ଜ ପାଇଁ ଅଟୋ-ଡେବିଟ୍ ପେମେଣ୍ଟ କରୁଛନ୍ତି, ତା’ହେଲେ ଏପ୍ରିଲ ୧ରୁ ଏହାର ପେମେଣ୍ଟ୍ ପାଇଁ ପ୍ରକ୍ରିୟା ବଦଳିଯିବ । ନୂଆ ନିୟମ ଅନୁସାରେ, ଆକାଉଣ୍ଟରୁ ଟଙ୍କା କଟିବା ପୂର୍ବରୁ ଆପଣଙ୍କ ପାଖକୁ ଏକ ମେସେଜ ଆସିବ ।
ବ୍ୟାଙ୍କ, କିମ୍ବା କାର୍ଡ ସେବା ପ୍ରଦାନକାରୀ ସଂସ୍ଥା ଗ୍ରାହକଙ୍କୁ ପେମେଣ୍ଟ୍ କଟିବାର ନିର୍ଦ୍ଦିଷ୍ଟ ସମୟ ସୀମା ପୂର୍ବରୁ ଏକ ମେସେଜ ପଠାଇବେ । ଗ୍ରାହକ ପେମେଣ୍ଟ୍ ପାଇଁ ଅନୁମତି ଦେବା ପରେ ହିଁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବ । ୫ ହଜାର ଟଙ୍କାରୁ ଅଧିକ ପେମେଣ୍ଟ୍ ପାଇଁ, ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କୁ ଓଟିପି ପଠାଇବା ବାଧ୍ୟତାମୂଳକ ବୋଲି ନୂତନ ନିୟମରେ ଉଲ୍ଲେଖ ରହିଛି ।
ଏଥିସହ ଏପ୍ରିଲ ୧ରୁ ଆୟକର ଦାଖଲ ନିୟମରେ ବି କିଛି ପରିବର୍ତ୍ତନ ହେବାକୁ ଯାଉଛି । ନୂଆ ନିୟମ ଅନୁସାରେ, କର୍ମଚାରୀଙ୍କ ସୁବିଧା ତଥା ଆୟକର ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏପ୍ରିଲ୧ରୁ ପ୍ରି-ଫିଲଡ୍ ITR ଫର୍ମ ଯୋଗାଇ ଦିଆଯିବ । ଫଳରେ ITR ଫାଇଲ୍ କରିବା ସହଜ ହୋଇପାରିବ । ସେପଟେ ITR ଦାଖଲ ନ କରୁଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର TDS ନିୟମକୁ କଡ଼ାକଡ଼ି କରିଛନ୍ତି। ଯଦି ଆପଣ ITR ଫାଇଲ୍ କରୁ ନାହାନ୍ତି ତେବେ ଦୁଇ ଗୁଣା ପର୍ଯ୍ୟନ୍ତ TDS ଦେବାକୁ ପଡ଼ିପାରେ । ସେହିପରି ଏପ୍ରିଲ ୧ରୁ ୭୫ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ITR ଫାଇଲ୍ କରିବାକୁ ପଡ଼ିବ ନାହିଁ । ପେନ୍ସନ୍ ଉପରେ ନିର୍ଭରଶୀଳ ବରିଷ୍ଠ ନାଗରିକମାନଙ୍କୁ ଏହି କ୍ଷେତ୍ରରେ ରିହାତି ଦିଆଯାଇଛି ।
ତେବେ ୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପାସ୍ବୁକ୍ ଓ ଚେକ୍ବୁକ୍ ମଧ୍ୟ ଏପ୍ରିଲ ପହିଲାରୁ ଅକାମି ହୋଇଯିବ। କାରଣ ଏସବୁ ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ ହୋଇଯାଇଛି। ଏହି ବ୍ୟାଙ୍କ ଗୁଡିକ ହେଲା-ଦେନା ବ୍ୟାଙ୍କ (Dena Bank), ବିଜୟ ବ୍ୟାଙ୍କ( Vijaya Bank), ସମବାୟ ବ୍ୟାଙ୍କ(Corporation Bank), ଆନ୍ଧ୍ର ବ୍ୟାଙ୍କ (Andhra Bank), ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (Oriental Bank of Commerce), ୟୁନାଇଡେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (United Bank of India) ଆହ୍ଲାଦବାଦ୍ ବ୍ୟାଙ୍କ ( Allahabad Bank), ସିଣ୍ଡିକେଟ୍ ବ୍ୟାଙ୍କ (Syndicate bank) ।