ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା କରିବା ପାଇଁ ରାଜ୍ୟରେ ଜାରି ରହିଛି କରୋନା ଟିକାକରଣ । ଏପ୍ରିଲ ୧ରୁ କରୋନା ଟିକାକରଣ ସଂଖ୍ୟା ବୃଦ୍ଧି କରାଯିବା ସହିତ ଦୈନିକ ୨ ଲକ୍ଷ ଟିକା ଦିଆଯିବ ବୋଲି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ମୋଟ ୨୨ ଲକ୍ଷ ୩୬ ହଜାର ୬୧୫ ଜଣଙ୍କୁ ଟିକାକରଣ ହୋଇଛି । ଏହା ମଧ୍ୟରୁ ୧୩ ଲକ୍ଷ ୪୭ ହଜାର ୭୮୭ ଜଣ ବରିଷ୍ଠ ଏବଂ ବହୁବିଧ ରୋଗାକ୍ରାନ୍ତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ପହଞ୍ଚି ସାରିଛି । ଏବେ ଓଡିଶାରେ ୧୭ଲକ୍ଷ ଡୋଜ ଟିକା ମହଜୁଦ ଅଛି । ଟିକାକରଣରେ ଅନୁଗୁଳ, ବରଗଡ଼, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗିର, ମୟୂରଭଞ୍ଜ, ସୋନପୁର, ନବରଙ୍ଗପୁର, ନୂଆପଡା ଜିଲ୍ଲା ପଛରେ ଅଛି ।
ଟିକା ନଷ୍ଟ ହେବା କଥା ମଧ୍ୟ କହିଛନ୍ତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଟିକା ନଷ୍ଟ ହେବାରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ଅଛି। ଅନ୍ୟ ରାଜ୍ୟରେ ୧୦ ପ୍ରତିଶତ ଟିକା ନଷ୍ଟ ହେଉଥିଲା ବେଳେ ଆମ ରାଜ୍ୟରେ ୦.୨ ପ୍ରତିଶତ ଟିକା ନଷ୍ଟ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।