ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ଦୋଳ ପୂର୍ଣ୍ଣମା ଅବସରରେ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହେଉଛି । ଆଜି ଭକ୍ତଙ୍କୁ ମହାପ୍ରଭୁ ରାଜ ରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେବେ ।
ଶ୍ରୀମନ୍ଦିରରେ ଫାଲଗୁନ ଦଶମୀରୁ ପ୍ରତିପଦା ଯାଏଁ ଦୋଳ ଉତ୍ସବ ପାଳନ କରାଯାଇଥାଏ । ସେହିପରି ଗତକାଲି ମେଣ୍ଡାପୋଡି ନୀତି ଅନୁଷ୍ଠିତ ହୋଇଯାଇଛି ।ଆଜି ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମାନେ ଦୋଳ ବେଦୀକୁ ବିଜେ କରିବା ସହ ଫଗୁ ଓ ଅବିର ଖେଳିବେ । ଆଜି ସକାଳୁ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ମହାପ୍ରଭୁ ଭକ୍ତଙ୍କୁ ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେବେ ।ଏହାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ବିରାଜମାନ ହୋଇ ଶ୍ରୀମନ୍ଦିର ବେଢ଼ା ୭ ଥର ପରିକ୍ରମା କରିବେ। ଦୋଳବେଦୀ ତଳେ ଓ ଉପରେ ସାତଘେରା ବୁଲିବା ପରେ ଦୋଳରେ ବସି ଝୁଲିବେ। ପରେ ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ସଂପନ୍ନ ହେବ।