ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ଆୟୋଜିତ ହେବାକୁ ଯାଉଛି ଅମରନାଥ ଯାତ୍ରା । ଜୁନ୍ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ପାଇଁ ପଞ୍ଜିକରଣ ତାରିଖ ମଧ୍ୟ ସ୍ଥିର କରାଯାଇଛି । ଏପ୍ରିଲ ପହିଲାରୁ ପଞ୍ଜିକରଣ ଆରମ୍ଭ ହେବ ବୋଲି ସୂଚନା ରହିଛି ।ତେବେ ଏଥର ଅମରନାଥକୁ ଯିବା ପାଇଁ ଦୁଇଟି ରାସ୍ତା ସ୍ଥିର କରାଯାଇଛି । ଯାତ୍ରୀମାନେ ବାଲଟାଲ ଓ ପହଲଗାମ ଦେଇ ଦୁଇଟି ରାସ୍ତାରେ ଅମରନାଥ ଯାଇପାରିବେ । ଅମରନାଥ ଯାତ୍ରା କରିବାକୁ ଇଚ୍ଚୁକ ଯାତ୍ରୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୩୧୬ଟି ବ୍ରାଞ୍ଚ, ଜମ୍ମୁ-କାଶ୍ମୀର ବ୍ୟାଙ୍କର ୯୦ଟି ବ୍ରାଞ୍ଚ ଓ ୟେସ ବ୍ୟାଙ୍କର ୪୦ଟି ବ୍ରାଞ୍ଚରେ ପଞ୍ଜିକରଣ କରିପାରିବେ । ଏଥର ଅମରନାଥ ଯାତ୍ରା ୫୬ ଦିନ ଧରି ଚାଲିବ ଏବଂ ଜୁନ ୨୮ ତାରିଖରେ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ଶେଷ ହେବ।
ଶ୍ରୀଅମରନାଥ ମନ୍ଦିର ବୋର୍ଡର ସିଇଓ ନିତୀଶ୍ୱର କୁମାର ଏ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯାତ୍ରୀମାନେ ଦେଉଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଭୂଲ ସୂଚନାକୁ ରୋକିବାକୁ କେବଳ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମାନ୍ୟତାପ୍ରାପ୍ତ ଡାକ୍ତର ଓ ମେଡିକାଲ ତରଫରୁ ଜାରି କରାଯାଇଥିବା ସାର୍ଟିଫିକେଟ୍ ଗ୍ରହଣ କରାଯିବ । ୨୦୨୧ ମାର୍ଚ୍ଚ ମାସ ୧୫ ତାରିଖ ପରେ ସାର୍ଟିଫିକେଟ ଇସ୍ୟୁ ହୋଇଥିବା ଆବଶ୍ୟକ ।
ଏହିଯାତ୍ରା ବାବଦରେ ଅଧିକ ସୂଚନା ମନ୍ଦିର ବୋର୍ଡ ଅଧିକାରୀଙ୍କ ୱେବସାଇଟ୍ www.shriamarnathjishrine.com ରେ ଉପଲବ୍ଧ କରାଯାଇଛି । ଏ ବର୍ଷ ୧୩ ବର୍ଷରୁ କମ୍ ଓ ୭୫ ବର୍ଷରୁ ଅଧିକ ବୟସର ଲୋକ ଓ ଗର୍ଭବତୀ ମହିଳାମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ ।