ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଭାରତରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ବର୍ଦ୍ଧିତ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାମୟିକ ଭାବେ କୋଭିସିଲଡ ଟିକା ରପ୍ତାନିକୁ ସ୍ଥଗିତ ରଖିଛନ୍ତି । ଦେଶରେ କରୋନା ଟିକା ଚାହିଦା ପୂରଣ କରିବା ପରେ ପରବର୍ତ୍ତିକାଳରେ ବିଦେଶକୁ ରପ୍ତାନି କରିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।
କେନ୍ଦ୍ର ସରକାର ଆସନ୍ତା ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକମାନଙ୍କୁ କରୋନା ଟିକା ଦେବା ପାଇଁ ଘୋଷଣା କରିଛନ୍ତି । ଏହାପରେ ଦେଶରେ ଟିକା ଚାହିଦା ଆହୁରି ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ଗତ କାଲି କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଭାରତରେ ଯେତିକି ଲୋକଙ୍କୁ ଟିକା ଦିଆଯାଇଛି, ତାଠାରୁ ଅଧିକ ଟିକା ରପ୍ତାନି କରାଯାଇଛି । ଏହାକୁ ନେଇ କେତେକ ମହଲରେ ସରକାରଙ୍କୁ ସମାଲୋଚନା କରାଯାଇଥିଲା । ଏପରିକି ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହି ରପ୍ତାନି ଉପରେ ପ୍ରଶ୍ନ ଉଠାଇଥିଲେ । ତେବେ ଏପରି ପରିସ୍ଥିତିରେ ସରକାର ସାମୟିକ ଭାବେ କୋଭିଡ-୧୯ ଟିକାର ରପ୍ତାନି କୁ ସାମୟିକ ଭାବେ ବନ୍ଦ ରଖିବାର ନିଷ୍ପତି ନେଇଛନ୍ତି ।