ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡିଶାରେ ଜାତୀୟ ରାଜପଥ ପ୍ରାୟ 5753 କିଲୋମିଟର ବ୍ୟାପିଛି । ଏହାସହ ରାଜ୍ୟ ରାଜପଥ ପ୍ରାୟ 4211 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଗତ 3 ବର୍ଷ ମଧ୍ୟରେ ପ୍ରାୟ 32 ଟି ଜାତୀୟ ରାଜପଥ ଓ ପୋଲକୁ ରାଜ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି । 2017-18ରେ ଏଥିପାଇଁ 2165.10 କୋଟି ବ୍ୟୟ ଅଟକଳ କରାଯାଇଥିବା ବେଳେ 2019-20 ମସିହାରେ 4559.66 କୋଟି ଟଙ୍କା ବଜେଟରେ ସ୍ଥିର କରାଯାଇଥିଲା ।
ରାଜ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ-
ଏନଏଚ 16 GQ ପଶ୍ଚିମବଙ୍ଗର ଖଡଗପୁରରୁ ଆରମ୍ଭ ହୋଇ ବାଲେଶ୍ବର, ଭୁବନେଶ୍ବର ଦେଇ ଯାଇଛି । ଏହା ପ୍ରାୟ 444 କିଲୋମିଟର । ଏନଏଚ-19 ସହ ଏହି ରାଜପଥ ସଂଯୋଗ ହୋଇ ଯାଇଛି । ଚେନ୍ନାଇ ନିକଟରେ ଏନଏଚ-48ରେ ଏହା ଟର୍ମିନେଟ୍ ହୋଇଛି ।
ଏନଏଚ-316 ପ୍ରାୟ 152.77 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଏନଏଚ-16 ଜଙ୍କଶନଠାରୁ ଆରମ୍ଭ କରି ପୁରୀ-କୋଣାର୍କ ଓ ପୁରୀ-ସାତପଡା ଦେଇ ଯାଇଛି ।
ଏନଏଚ-516 ଛତ୍ରପୁରଠାରୁ ଆରମ୍ଭ କରି ଗୋପାଳପୁରରେ ଟର୍ମିନେଟ୍ ହୋଇଛି । ଏହା ପ୍ରାୟ 5.92 କିଲୋମିଟର ।
ଏନଏଚ-18 ଗୋବିନ୍ଦପୁରରୁ ଆରମ୍ଭ କରି ଝାଡଖଣ୍ଡ ଧନବାଦ ଚାସକୁ ସଂଯୋଗ କରିଛି । ଏହା କୋଲକାତାର ପୁରୁଲିୟା, ବଳରାମକୁ ସଂଯୋଗ କରିଛି । ଏହା ଓଡିଶାର ବାଲେଶ୍ବର ଦେଇ ପ୍ରାୟ 80.6 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ।
ଏନଏଚ-20 ବିହାରର ଭକ୍ତିୟାରପୁରରୁ ଆରମ୍ଭ ହୋଇ ଓଡିଶାର ସାତଭାୟାରେ ଟର୍ମିନେଟ ହୋଇଛି । ଏହା ପ୍ରାୟ 283.39 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ।
ଏନଏଚ-220 ଝାଡଖଣ୍ଡରୁ ଓଡିଶାର ଢେଙ୍କିକୋଟିକୁ ସଂଯୋଗ କରିଛି । ପ୍ରାୟ 125.41 କିଲୋମିଟରର ପର୍ଯ୍ୟନ୍ତ ଏହା ବ୍ୟାପିଛି ।
ଏନଏଚ-520 ପରସୋରାରୁ ଆରମ୍ଭ ହୋଇ ଏନଏଚ-143 ସହ ସଂଯୋଗ ହୋଇଛି । ଏହା ଓଡିଶାର ରାଜମୁଣ୍ଡା ଦେଇ ଗତି କରିଛି । ପ୍ରାୟ 108.43 କିଲୋମିଟର ବ୍ୟାପିଛି ଏହି ରାଜପଥ ।
ଏନଏଚ-26 ବରଗଡରୁ ଆରମ୍ଭ ହୋଇ ଆନ୍ଧ୍ରପ୍ରଦେଶର ନାଟଭଲସାଠାରେ ଟର୍ମିନେଟ୍ ହୋଇଛି । ଏହା ପ୍ରାୟ 434.76 କିଲୋମିଟର ଯାଏଁ ବ୍ୟାପିଛି ।
ଏନଏଚ-326 ଓଡିଶାର ରାୟଗଡା, କୋରାପୁଟ, ଜୟପୁର, ମାଲକାନଗିରିକୁ ଯୋଡୁଛି । ଏହା ଆନ୍ଧ୍ରପ୍ରଦେଶରେ ଟର୍ମିନେଟ୍ ହୋଇଛି । ଏହାର କିଲୋମିଟର ପ୍ରାୟ 513.7 ଯାଏଁ ବ୍ୟାପିଛି ।
ଏନଏଚ-130C ଛତିଶଗଡରୁ ଆରମ୍ଭ ହୋଇ ପଶ୍ଚିମଓଡିଶା ଦେଇ ଯାଇଛି । ଏହା ପ୍ରାୟ 22.82 କିଲୋମିଟର ଯାଏଁ ବ୍ୟାପିଛି ।
ଏନଏଚ-143 ଝାଡଖଣ୍ଡରୁ ଆରମ୍ଭ ହୋଇ ଓଡିଶାର ବାରାକୋଟ ଦେଇ ଗତି କରିଛି । ଏନଏଚ-49 ସହ ଏହା ଟର୍ମିନେଟ୍ ହୋଇଛି । ଏହା ପ୍ରାୟ 125.8 କିଲୋମିଟର ଯାଏଁ ବ୍ୟାପିଛି ।
ଏନଏଚ-149 ତାଳଚେରରୁ ଆରମ୍ଭ ହୋଇ ଓଡିଶାର ନୂଆହାଟରେ ଟର୍ମିନେଟ୍ ହୋଇଛି । ଏହା ପ୍ରାୟ 80 କିଲୋମିଟର ଯାଏଁ ବ୍ୟାପିଛି । ଏହାସହ ଏନଏଚ-53, ଏନଏଚ-153, ଏନଏଚ-353, ଏନଏଚ-55, 57, 157, 59, 63, 126, 130, 655 , 720 ଆଦି ଏନଏଚ ଓଡିଶା ଦେଇ ଗତି କରିଛି । ପ୍ରାୟତଃ ଜାତୀୟ ରାଜ୍ୟପଥ ପଡୋଶୀ ରାଜ୍ୟ ସହ ସଂଯୋଗ ହୋଇଛି ।
ଗତ 3 ବର୍ଷ ମଧ୍ୟରେ ରାଜ୍ୟ ସରକାର ହାତକୁ ନେଇ ରାଜପଥ କାର୍ଯ୍ୟ–
2017-18 ମସିହାରେ ନୟାଗଡ-ଖୋର୍ଦ୍ଧା, ନକଟୀଦେଉଳ-ବୌଦ୍ଧ ରାସ୍ତା ଚଉଡା କରିବା କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେଇଛି । ପ୍ରାୟ 112 କିଲୋମିଟର ରାଜପଥକୁ ଚଉଡା କରାଯାଇଥାନ୍ତା ମାତ୍ର ବର୍ତ୍ତମାନ ସୁଦ୍ଧା କେବଳ 70 ଓ 80 ପ୍ରତିଶତ କାମ ସରିଛି । ଏପରିକି ସମ୍ବଲପୁର ରାଜପଥକୁ 4 ଲେନ୍ ବଢାଇବା ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା ମାତ୍ର ବର୍ତ୍ତମାନ ସୁଦ୍ଧା କେବଳ 46 ପ୍ରତିଶତ କାମ ସରିଛି । ଏହାସହ ତେଲେଇବାଣି-ସମ୍ବଲପୁର ରାସ୍ତା, ବାହାରଗୋରା-ସିଙ୍ଗାରା ରାସ୍ତା, ବିଞ୍ଜବାହାଲ-ତେଲେଇବାଣୀ, କଟକ-ଅନୁଗୋଳ ରାସ୍ତାକୁ ଚଉଡା କରିବା ପାଇଁ ଆରମ୍ଭ ହୋଇଥିବା ପ୍ରୋଜେକ୍ଟ ଏଯାଏଁ ସରିପାରିନି ।
ଅନ୍ୟପକ୍ଷେ 2018-19ରେ ରିମୁଳି-କୋଏଡା ସେକ୍ସନରେ 4 ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କାମ କେବଳ 52 ପ୍ରତିଶତ ଶେଷ ହୋଇଛି । ଏହାସହ ଖଣ୍ଡଗିରି ଫ୍ଲାଏଓଭର କାମ 77 ପ୍ରତିଶତ ସରିଛି । କେବଳ ପୁରୀ ବାଏପାସ୍ କାମ ସରିଥିବା ସରକାରୀ ତଥ୍ୟରୁ ପ୍ରକାଶ ପାଇଛି । ଚଣ୍ଡିଖୋଲ-ଭଦ୍ରକ 6 ଲେନ୍ ବିଶିଷ୍ଟ ରାସ୍ତା କାମ 50 ପ୍ରତିଶତ ଶେଷ ହୋଇଛି । ଭଦ୍ରକ-ବାଲେଶ୍ବର ସେକ୍ସନ ରାସ୍ତା କାମ କେବଳ 28 ପ୍ରତିଶତ ଶେଷ ହୋଇଛି । ତାଳଚେର-କାମାକ୍ଷାନଗର ରାସ୍ତା କାମ ମଧ୍ୟ ଏଯାଏଁ ସରିପାରିନି ।
ତେବେ ଏତେ ପ୍ରୋଜେକ୍ଟ ବାକି ଥିବା ସତ୍ତ୍ବେ 2019-20ରେ ସରକାର ପୁଣି ଅନେକ ରାଜ୍ୟ ରାଜପଥ ଓ ପୋଲ ନିର୍ମାଣ ପାଇଁ ବ୍ୟୟ ଅଟକଳ ହୋଇଛି । ବୋରିଗୁମା-ଜୟପୁର ରାସ୍ତାକ ଚଉଡା କରିବା ପ୍ରୋଜେକ୍ଟ କାମ ସରକାର ହାତକୁ ନେଇଛନ୍ତି, ଯାହା କେବଳ 20 ପ୍ରତିଶତ ଶେଷ ହୋଇଛି । ଏହାସହ ଟାଙ୍ଗି-ଭୁବନେଶ୍ବର 6 ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ମଧ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି । ଯାହା କେବଳ 35 ପ୍ରତିଶତ ହୋଇଛି । ଏହାସହ ସେକ୍ସନ ଏନଏଚ-5, ଚଣ୍ଡିଖୋଲ- ଡୁବୁରୀ ରାସ୍ତା ନିର୍ମାଣ ପାଇଁ ସରକାର ଅନୁମୋଦନ ପ୍ରକାଶ କରିଛନ୍ତି, ଏହାର କାମ କେବଳ 27 ଓ 13 ପ୍ରତିଶତ ହିଁ ଶେଷ ହୋଇଛି ।