ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି “ମୋ କଲେଜ’କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଛି । ଅପରାହ୍ନ ୪ଟା୧୫ରୁ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ତେବେ ଏହି କାର୍ଯ୍ୟକ୍ରମ ବିଭିନ୍ନ ସୋସିଆଲ୍ ମିଡିଆରେ ସିଧା ପ୍ରସାରଣ କରାଯିବ। କାର୍ଯ୍ୟକ୍ରମରେ ଅଭିଯାନର ଉଦ୍ଦେଶ୍ୟ, ଲକ୍ଷ୍ୟ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ । ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକରେ ଏହି ସମୟରେ ଏକ ଉତ୍ସବ ଆୟୋଜନ କରାଯିବ । ସ୍ଥାନୀୟ ବିଧାୟକ, ସାଂସଦ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯିବ । ତେବେ ଉତ୍ସବ ସ୍ଥଳରେ ୫ଶହରୁ ଅଧିକ ଲୋକ ଏକଜୁଟ୍ ହେବେ ନାହିଁ । ସମସ୍ତ କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବ ବୋଲି ଉଚ୍ଚଶିକ୍ଷା ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ।
ଏହି କାର୍ଯକ୍ରମକୁ ସଫଳ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡିକରେ ବ୍ୟବସ୍ଥା କରିବାକୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ବିଭାଗୀୟ ପ୍ରମୁଖ ସଚିବ ଚିଠି ଲେଖିବା ସହିତ ଏକ ଗାଇଡଲାଇନ୍ ଜାରି କରିଛନ୍ତି ।
ମୁଖ୍ୟ କାର୍ଯ୍ୟକ୍ରମକୁ ହଲ୍ ଭିତରେ ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି । କାର୍ଯ୍ୟକ୍ରମକୁ ଏଲଇଡି ସ୍କ୍ରିନ୍ରେ ପ୍ରସାରଣ କରାଯିବ । ତେବେ କଲେଜଗୁଡିକ ପାଇଁ ୨୫ ହଜାର ଏବଂ ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ୫୦ ହଜାର ଟଙ୍କା ଦେବାକୁ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମର ସମସ୍ତ ଫଟୋ ତଥା ଭିଡିଓ କରିବା ବାଧ୍ୟତାମୂଳକ ବୋଲି ଶ୍ରୀ ମିଶ୍ର କହିଛନ୍ତି ।