ସନ୍ଷ୍ଟାର ଟିଭି ବ୍ୟୁରୋ
ଜଳନ୍ଧର: ଆଜିର ଯୁଗରେ ଅନ୍ଧବିଶ୍ଵାସକୁ ବିଶ୍ଵାସ କଲା ପରି ଅନେକ ଲୋକ ରହିଛନ୍ତି । ଏପରି ଏକ ଅନ୍ଧବିଶ୍ଵାସର ଶିକାର ହୋଇଛନ୍ତି ଜଣେ ଶିକ୍ଷୟତ୍ରୀ । ଜଣେ ୧୩ ବର୍ଷର ଜଣେ ଛାତ୍ରଙ୍କୁ ବିବାହ କରିଛନ୍ତି ଏହି ଶିକ୍ଷୟିତ୍ରୀ । ବିବାହ ପରେ ଉକ୍ତ ଛାତ୍ରଙ୍କୁ ୬ ଦିନ ନିଜ ଘରେ ରଖିବା ପରେ ଛାଡ଼ି ଦେଇଛନ୍ତି । ନାବାଳକ ଛାତ୍ର ଘରେ ପହଞ୍ଚି ପରିବାର ଲୋକଙ୍କୁ ଏ ନେଇ ଜଣାଇବା ପରେ କଥା ପଦାକୁ ଆସିଥିଲା। ଘଟଣା ଘଟିଛି ଜଳନ୍ଧର ସହରର ବାଓ୍ଵା ଖେଲ ଇଲାକାରେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିଜର ମାଙ୍ଗଳିକ ଦୋଷକୁ କାଟିବାକୁ ଯାଇଁ ସେ କରିଥିଲେ ଏପରି ଅପରାଧ ।
ତେବେ ସୂଚନା ଅନୁଯାୟୀ,ସେହି ଶିକ୍ଷୟିତ୍ରୀଙ୍କ ବିବାହ ବୟସ ଗଡ଼ି ଯାଉଥିଲା । ହେଲେ ବାହାଘର ଠିକ୍ ହୋଇ ପାରୁ ନ ଥିବାରୁ ପରିବାର ଲୋକେ ଚିନ୍ତାରେ ଥିଲେ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସେ ନାବାଳକ ଛାତ୍ରଙ୍କୁ ବିବାହ କରିଥିଲେ । ତାଙ୍କର ବିଶ୍ୱାସ ଥିଲା, ଏପରି କରିବା ଦ୍ୱାରା ତାଙ୍କର ମାଙ୍ଗଳିକ ଦୋଷ କଟିଯିବ। ତେବେ ୬ ଦିନ ପରେ ତାଙ୍କୁ ଛାଡି ହେବାରୁ ଛାତ୍ରଟି ଘରକୁ ଆସି ସବୁ କହିଥିଲା । ଏହାପରେ ପିଲାଟିର ପରିବାର ଲୋକ ଏନେଇ ଥାନାରେ ଅଭଯୋଗ କରିଥିଲେ ।
ସେହି ରିପୋର୍ଟ ଅନୁସାରେ, ନାବାଳକଙ୍କ ପରିବାରର ଆର୍ଥିକ ସ୍ଥିତି ଏତେ ଭଲ ନ ଥିଲା । ତେଣୁ ନିଜ ଘରେ ରଖି ପାଠପଢା କଥା ବୁଝିବେ ବୋଲି କହି ଶିକ୍ଷୟିତ୍ରୀ ନାବାଳକ ଛାତ୍ରଙ୍କୁ ଡାକିଥିଲେ । ପରିବାର ଲୋକେ ମଧ୍ୟ ଏଥିରେ ରାଜି ହୋଇଥିଲେ । ହେଲେ ନାବାଳକ ଏଠାକୁ ଆସିବା ପରେ ଶିକ୍ଷୟିତ୍ରୀ ତାଙ୍କୁ ଜବରଦସ୍ତ ବିବାହ କରିଥିଲେ । ୬ ଦିନ ମଧ୍ୟରେ ବିବାହର ସମସ୍ତ ପରମ୍ପରା ଯେପରିକି ହଲଦୀ ରଶମ ପରମ୍ପରାଠାରୁ ଆରମ୍ଭ କରି ବିବାହ ଏବଂ ଚତୁର୍ଥୀ ରୀତି ମଧ୍ୟ ପାଳନ କରିଥିଲେ । ପଣ୍ଡିତଙ୍କ କହିବା ଅନୁଯାୟୀ, ଶେଷରେ ଶିକ୍ଷୟିତ୍ରୀ ଚୁଡ଼ି ଭାଙ୍ଗି ବିଧବା ହେବାର ନାଟକ ମଧ୍ୟ କରିଥିଲେ । ଏହା ପରେ ଏକ ଶୋଭସଭାର ଆୟୋଜନ କରାଯାଇଥିଲା ।ସବୁ କାମ ସରିବା ପରେ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ । ଘରକୁ ଫେରିବା ପରେ ଛାତ୍ର ସବୁକଥା କହିଥିଲା ।
ଏହା ପରେ ଛାତ୍ରଙ୍କ ପରିବାର ଲୋକେ ଥାନାରେ ମାମଲା ଦାଏର କରିଥିଲେ । ପୋଲିସ ଶିକ୍ଷୟିତ୍ରୀ ଏବଂ ଏପରି କରିବା ପାଇଁ କହିଥିବା ପଣ୍ଡିତଙ୍କୁ ଥାନାକୁ ଡାକିଥିଲେ । ସେଠାରେ ଆପୋଷ ବୁଝାମଣା ଭିତରେ ସମାଧାନ ହେବା ପରେ ସମସ୍ତେ ଘରକୁ ଫେରି ଆସିଥିଲେ । ହେଲେ ବରିଷ୍ଠ ଅଧିକାରୀ ଏ ବିଷୟରେ ଜାଣିବା ପରେ ଘଟଣାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି । ନାବାଳିକା ସହ ବିବାହ ଯଦିଓ ପ୍ରତୀକାତ୍ମକ ଥିଲା ତେବେ ତଥାପି ଏପରି ବିବାହ ବେଆଇନ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି ।