ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷ ଅର୍ଥାତ ଜୁନ ମାସରୁ ଆରମ୍ଭ ହେବାକୁ ଥିବା ଶିକ୍ଷାବର୍ଷରେ ନୂତନ ଢାଞ୍ଚାରେ ପାଠପଢା ଆରମ୍ଭ ହେବ । ପ୍ରଥମ ୨ରୁ ୩ ମାସ ରିଭିଜନ୍ କ୍ଲାସ ହେବା ପରେ କ୍ଲାସ ଆରମ୍ଭ ହେବ ବୋଲି କୁହାଯାଇଛି । ଚଳିତବର୍ଷ କରୋନା ପାଇଁ ଛାତ୍ରଛାତ୍ରୀମାନେ ଠିକ୍ ଭାବେ ପଢ଼ିପାରିନଥିବାରୁ ନୂଆ କ୍ଲାସକୁ ଯିବା ପୂର୍ବରୁ ପୁରୁଣା ବର୍ଷର ପାଠ ଠିକ୍ରେ ପଢ଼ାଯିବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ସ୍ତର ବୃଦ୍ଧି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।
ତେବେ ସୂଚନା ଅନୁସାରେ, ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ । ପୂର୍ବରୁ କରୋନା ପାଇଁ ପାଠପଢା ବ୍ୟାଘାତ ହୋଇଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରିବା ନେଇ ଘୋଷଣା କରାଯାଇଥିଲା । କିଛି ଦିନ ପୂର୍ବେ ସ୍କୁଲ୍ ଓ ଗଣଣିକ୍ଷା ମନ୍ତ୍ରୀ ଏ ବାବଦରେ ସୂଚନା ଦେଇଥିଲେ । ବିଭାଗ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍ ବୋଲି ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଚଳିତବର୍ଷ କରୋନା ମହାମାରୀକୁ ଆଖି ଆଗରେ ରଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି । ଗତବର୍ଷ ଭଳି ଏଥର ବି ପରୀକ୍ଷା ନକରି କ୍ଲାସ ପ୍ରମୋସନ୍ କରାଯିବ ବୋଲି କୁହାଯାଇଛି ।