ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ମାନବପ୍ରେମୀ ଆଦିତ୍ୟ କୁମାର ଦାଶଙ୍କ ମୃତ୍ୟୁ ମାମଲାର କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟ ଉପରେ ବୁଧବାର ଆବେଦନକାରୀଙ୍କ ପକ୍ଷରୁ କେତେକ ପ୍ରଶ୍ନ ଉଠାଯାଇଥିଲା । ତେବେ ଏହାର ଏହା ଉପରେ ଉତ୍ତର ରଖିବାକୁ କ୍ରାଇମ୍ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଶ୍ୱଜିତ୍ ମହାନ୍ତି ଆସନ୍ତା ଏପ୍ରିଲ ୮ ତାରିଖକୁ ପରବର୍ତ୍ତୀ ଶୁଣାଣି ଲାଗି ସମୟ ଧାର୍ଯ୍ୟ କରିଛନ୍ତି ।
ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ସାହୁ ଏହି ମାମଲା ରୁଜୁ କରିଥିଲାବେଳେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି । କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ରିପୋର୍ଟକୁ ନେଇ ଆବେଦନକାରୀ ଅଦାଲତରେ କିଛି ପ୍ରଶ୍ନ କରିଥିଲେ । ଫେସ୍ବୁକ୍ରେ ଆଦିତ୍ୟ ଦାଶ ତାଙ୍କ ମୃତ୍ୟୁ ପୂର୍ବରୁ ଯେଉଁ ପୋଷ୍ଟ କରିଥିଲେ ତାହା କେଉଁ ମୋବାଇଲ୍ରୁ କରିଥିଲେ ଏବଂ କେତେବେଳେ କରିଥିଲେ ସେନେଇ କ୍ରାଇମ୍ବ୍ରାଞ୍ଚ୍ କିଛି ସ୍ପଷ୍ଟ କରିନାହିଁ । କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ସମୟରେ ୪୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଛି ବୋଲି କହିଥିଲାବେଳେ ୧୪ଜଣ ସାକ୍ଷୀଙ୍କ ତାଲିକା ଦେଇଛି । ଅନ୍ୟ ସକ୍ଷୀମାନେ କୁଆଡେ ଗଲେ ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି । ସେହିପରି ଆଦିତ୍ୟ ଦାଶଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସେ ଆତ୍ମହତ୍ୟା କରିଛନ୍ତି କି’ ତାଙ୍କୁ ହତ୍ୟା କରାଯାଇଛି ସେ ସଂକ୍ରାନ୍ତରେ କିଛି ବି’ ସ୍ପଷ୍ଟ କରାଯାଇ ନାହିଁ । ଟ୍ରେନ୍ରେ କଟି ସେ ମୃତ୍ୟୁବରଣ କରିଛନ୍ତି କି’ ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ମଧ୍ୟ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ତେଣୁ ଏହିସବୁ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ କ୍ରାଇମ୍ବ୍ରାଞ୍ଚ୍ ଆଉ ଏକ ରିପୋର୍ଟ ଦାଖଲ ଲାଗି ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି ।